Sunstar TV :
ଦେଶରେ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଆଜି ସକାଳୁ ଆରମ୍ଭ ହୋଇଥିବା ଗଣତିରେ ସମସ୍ତ ୫୪୨ ଆସନରେ ପ୍ରାରମ୍ଭିକ ଟ୍ରେଣ୍ଡ ସ୍ପଷ୍ଟ ହୋଇସାରିଛି । ଟ୍ରେଣ୍ଡ ଅନୁସାରେ, ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ସଂଖ୍ୟା ବହୁମତ ଅତିକ୍ରମ କରିସାରିଛି । ଏବେ ସୁଦ୍ଧା ‘ଏନଡିଏ’ ୨୯୪ ଆସନରେ ଆଗରେ ରହିଛି । ବିଭିନ୍ନ ରାଜ୍ୟର ବିଭିନ୍ନ ଆସନରେ ବିଜେପି ଓ ସହଯୋଗୀ ଦଳର ପ୍ରାର୍ଥୀମାନେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କ ଠାରୁ ଆଗରେ ରହିଛନ୍ତି । କେନ୍ଦ୍ରରେ ସଂଖ୍ୟା ବହୁମତ ପାଇଁ ୨୭୨ ଆସନ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା ‘ଏନଡିଏ’ ପ୍ରାୟ ୩ଶହ ଆସନରେ ଆଗରେ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀରୁ, ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗାନ୍ଧୀନଗରରୁ ଅମିତ ଶାହ, ଆମେଠିରୁ ସ୍ମୃତି ଇରାନୀ, ଥିରଅନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ନାଗପୁରରୁ ନୀତିନ ଗଡକରୀ, କର୍ଣ୍ଣାଟକ ଧରଓ୍ବାଡରୁ ପ୍ରହ୍ଲାଦ ଯୋଶୀ ଓ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭଲ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ଚାଲିଛନ୍ତି । ଏକାଧିକ ହାଇ ପ୍ରୋଫାଇଲ ଆସନରେ ବିଜେପି ପ୍ରାର୍ଥୀଙ୍କ ସହ କଂଗ୍ରେସ ପ୍ରାର୍ଥୀଙ୍କ ଟକ୍କର ହେଉଛି ।
‘ଏନଡିଏ’ ଏଥର ୪ଶହ ପାର କରି କେନ୍ଦ୍ରରେ ତୃତୀୟ ପାଳିର ସରକାର କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମେଣ୍ଟ ପ୍ରାୟ ୩ ଶହ ଆସନ ନିକଟବର୍ତ୍ତୀ ସହ ଆଗରେ ରହିଛି । ବିଜେପି ଗୁୁଜୁରାଟରେ ଗୋଟିଏ ଆସନରେ ଅପ୍ରଦ୍ବନ୍ଦ୍ବୀ ଭାବେ ବିଜୟ ହାସଲ କରିଥିବାରୁ ଏବେ ୫୪୨ ଆସନରେ ଭୋଟ ଗଣତି ହେଉଛି । ଦଳ ଦକ୍ଷିଣ-ରାଜ୍ୟ ତାମିଲନାଡୁ ଓ କେରଳରେ ମଧ୍ୟ ଖାତା ଖୋଲିବାର ସମ୍ଭାବନା ରହିଛି ।
ଓଡିଶାରେ ପରିବର୍ତ୍ତନ:
ବିଜେପି ଆଶ୍ଚର୍ଯ୍ୟଜନକ ଭାବେ ଓଡିଶାରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତାଧୀନ ଦଳ ‘ବିଜେଡି’କୁ ପଛରେ ପକାଇ ସଂଖ୍ୟା ଗରିଷ୍ଠତା ଆଡକୁ ଅଗ୍ରସର ହେଉଛି । ଏବେ ସୁଦ୍ଧା ବିଜେପି ପ୍ରାୟ ୭୦ରୁ ଅଧିକ ଆସନରେ ଆଗରେ ଚାଲିଛି । ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୭୪ ଆସନ ଥିବା ବେଳେ ବିଜେଡି ୫୦ ଆସନରେ ଆଗରେ ରହିଛି । ରାଜ୍ୟରେ ଲୋକସଭାରେ ମଧ୍ୟ ଦଳ ୨୧ ଆସନରୁ ୧୫ ଆସନରେ ଆଗରେ ରହି ବିଜେଡିକୁ ବହୁ ବ୍ୟବଧାନରେ ପଛରେ ଛାଡିଛି ।
ଆନ୍ଧ୍ର ପ୍ରଦେଶ:
ଆନ୍ଧ୍ରରେ ମଧ୍ୟ ଏଥର କ୍ଷମତା ପରିବର୍ତ୍ତନ ସଙ୍କେତ ଦେଇସାରିଲାଣି ଗଣତି ଟ୍ରେଣ୍ଡ । ରାଜ୍ୟରେ ୨୭୫ ଆସନ ମଧ୍ୟରୁ ବିଜେପି ଓ ଟିଡିପି ମେଣ୍ଟ ବହୁମତ ଆଡକୁ ଅଗ୍ରସର ହେଉଛନ୍ତି । ଶାସନରେ ଥିବା ଜଗନ ରେଡ୍ଡୀଙ୍କ ଓ୍ବାଏସର- କଂଗ୍ରେସ ପଛରେ ରହିଛି । ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏଥର ଆନ୍ଧ୍ରରେ ପରିବର୍ତ୍ତନର ସଙ୍କେତ ଦେଇଥିଲେ । ଉଭୟ କେନ୍ଦ୍ର ଓ ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡିଶାରେ ବିଜେପି ସଂଖ୍ୟା ଗରିଷ୍ଠତା ଆଡକୁ ଅଗ୍ରସର ହେବାରେ ଲାଗିଛି । ଦିଲ୍ଲୀରୁ ବିଭିନ୍ନ ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ବିଜେପି କର୍ମୀମାନେ ଉତ୍ସବ ପାଳନ କରିବାର ଆରମ୍ଭ କରିସାରିଲେଣି ।