SUNSTARTV
ଯାଜପୁର: ବିଜୁ ଜନତା ଦଳକୁ ଲାଗୁଛି ଝଟକା ପରେ ଝଟକା । ଖସୁଛି ଗୋଟିଏ ପରେ ଗୋଟିଏ ସିଟ୍ । ପ୍ରଥମେ ଦିପାଳୀ, ପରେ ବର୍ଷା ଆଉ ଏବେ ସନ୍ଧ୍ୟାରାଣୀ । ଚଳିତ ନିର୍ବାଚନରେ ଏମାନେ ଚାଖିଛନ୍ତି ପରାଜୟର ସ୍ୱାଦ । ଏଥିସହିତ ବିଜୁ ଜନତା ଦଳ ମଧ୍ୟ ନିଜ ଗଡରେ ହରାଉଛି ତାର ସତ୍ତା । ତେବେ ନିଜର ଅଦମ୍ୟ ଦୁର୍ଗ ଯାଜପୁରରେ ବିଜେଡିର ଏପରି ପରାଜୟ ବର୍ତ୍ତମାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ପ୍ରଥମେ ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ୧୦ ହଜାର ଭୋଟରେ ପରାଜୟ ହୋଇଥିବା ବେଳେ ବର୍ତ୍ତମାନ କୋରେଇରୁ ମଧ୍ୟ ପରାଜିତ ହୋଇଛନ୍ତି ସନ୍ଧ୍ୟାରାଣି ଦାସ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ହେଉଛନ୍ତି ସନ୍ଧ୍ୟାରାଣି । ତେବେ ସେ ଅଭିନେତା ତଥା ବିଜେପି ପ୍ରାର୍ଥୀ ଆକାଶ ଦାସ ନାୟକଙ୍କ ଠାରୁ ୬ ହଜାର ୩୫୦ ଭୋଟରେ ହାରିଛନ୍ତି ।
ଅନ୍ୟପକ୍ଷେ କୋରେଇରେ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଆକାଶ ଦାସ ନାୟକ ଜିତିବା ପରେ କମ୍ପିଛି ନିର୍ବାଚନ ମଣ୍ଡଳୀ । ବିଜେପି ପ୍ରାର୍ଥୀ ପାଳୁଛନ୍ତି ବିଜୟ ଉତ୍ସବ । ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା ବେଳେ କୋରେଇରେ ଉଡାଇଛନ୍ତି ବିଜୟ ଧ୍ୱଜା । ଏପଟେ ସନ୍ଧ୍ୟାରାଣୀଙ୍କ ପୁଅ ପ୍ରଣବ ପ୍ରାଶ ଦାସ ମଧ୍ୟ ସମ୍ବଲପୁର ଲୋକସଭା କ୍ଷେତ୍ରରେ ନିଜର ସତ୍ତା ହରାଇ ପାରନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ବର୍ତ୍ତମାନ ପାଖାପାଖି ଏକ ଲକ୍ଷ ଭୋଟ ପଛରେ ରହିଥିବା ଜଣା ପଡିଛି । ତେବେ ଚଳିତ ଥର ଓଡିଶାରେ ବିଜେଡିର ଏପରି ପରାଜୟ ବର୍ତ୍ତମାନ ସମସ୍ତଙ୍କ ଆଚମ୍ବିତ କରିଛି । ଏଥିସହିତ ବିଜେଡି ସରକାର ଭାଙ୍ଗିପାରେ ବୋଲି ବିଭିନ୍ନ ମହଲରେ ଆକଳନ କରାଯାଉଛି ।