Sunstar TV :
ସରିଛି ନିର୍ବାଚନ, ହେବ ଗଣତି । କିଏ ଜିତିବ ତ ପୁଣି କିଏ ହାରିବ ? ପୁଣି କିଏ ହ୍ୟାଟ୍ରିକ ରେକର୍ଡ କରିବ ? କେମିତି ହୁଏ ଗଣତି ? କିଏ ଗଣିବେ ଇଭିଏମ୍ ? କ’ଣ କହିବ ଇଭିଏମ୍ ? କିଏ ପିନ୍ଧିବ ବିଜୟ ମୁକୁଟ ?
ନଜର ପକାନ୍ତୁ ଏହି ରିପୋର୍ଟ ଉପରେ :
ରାତି ପାହିଲେ ଭୋଟ୍ ଗଣତି । ଏହାକୁ ନେଇ ଏବେ ଠୁ ଥରୁଛି ନେତାଙ୍କ ଛାତି । ଆସନ୍ତାକାଲି ଅର୍ଥାତ ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନର ଭୋଟ୍ ଗଣତି । ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲଟ । ଅଧଘଣ୍ଟା ପରେ ଇଭିଏମ୍ କାଉଣ୍ଟିଂ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାର ଇଭିଏମ ଭୋଟଗଣନା କାମ ପୋଷ୍ଟାଲ ବାଲଟ ଗଣନା ଆରମ୍ଭ ହେବାର ଅଧଘଣ୍ଟା ପରେ ଆରମ୍ଭ କରାଯାଇ ପାରିବ। ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପୋଷ୍ଟାଲ ବାଲଟର ଗଣନା ଏକ ଅଲଗା କକ୍ଷରେ ହେବ । ଏହି ନିର୍ଦ୍ଦେଶାନୁସାରେ ଭୋଟ ଗଣନା ରାଉଣ୍ଡ ଅନୁସାରେ ସମ୍ପନ୍ନ ହେବ । ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ପ୍ରତ୍ୟେକ ପର୍ଯ୍ୟାୟରେ ଭୋଟ ଗଣନାର ରାଉଣ୍ଡ ଯାଞ୍ଚ କରିବେ। ଏହା ଛଡା ଆୟୋଗଙ୍କ ରେକର୍ଡ ନିମନ୍ତେ ଭୋଟଗଣନା କକ୍ଷର ଭିଡିଓ ରେକର୍ଡିଂ ମଧ୍ୟ କରାଯିବ। ଭୋଟଗଣନା ପୂର୍ବରୁ ଗଣନା ପର୍ଯ୍ୟବେକ୍ଷକ ଇଭିଏମ କ୍ୟାରିଂ କେସ୍ ର ନମ୍ବର ଓ ମେସିନ ଉପରେ ଅଙ୍କିତ ନମ୍ବରକୁ ମିସାଇବେ ଓ ମେସିନକୁ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ମଧ୍ୟ ଦେଖାଇବେ। ଇଭିଏମରେ ଲଗାଯାଇଥିବା ସିଲକୁ ବି ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଦେଖାଯିବ। ଏହା ପରେ କଣ୍ଟ୍ରୋଲ ୟୁନିଟର ଟୋଟାଲ ବଟନକୁ ଦବାଇ ହୋଇଥିବା ମତଦାନର ସଂଖ୍ୟା ରଖାଯିବ । ପୀଠାସୀନ ଅଧିକାରୀ ଏହାକୁ ଭୋଟ ଆକାଉଣ୍ଟରେ ରେକର୍ଡ ଭୋଟ ସଂଖ୍ୟା ସହ ମିସାଇବେ। ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ କାଉଣ୍ଟର ସିଗ୍ନେଚର ପରେ ରିଟର୍ଣ୍ଣିଂ ଅଧିକାରୀ ରାଉଣ୍ଡ ଅନୁସାରେ ଫଳାଫଳ ଘୋଷଣା କରିବେ। ଲୋକସଭା ନିର୍ବାଟନ ୨୦୨୪ର ଭୋଟଗଣନା ଲାଗି ନିର୍ଦ୍ଧାରିତ ସ୍ଥଳରେ ମୋବାଇଲ, କାଲକୁଲେଟର, କୌଣସି ପ୍ରକାରର ଇଲେକ୍ଟ୍ରୋନିକ ଡିଭାଇସ ଅଥବା ଖାଇବା ପିଇବା ସାମଗ୍ରୀ ଓ ଧୁମ୍ରପାନ ବର୍ଜିତ ରହିବ ।