Sunstar Tv
Weather update: ମୌସୁମୀ କେରଳ ଛୁଇଁ ସାରିଥିବା ବେଳେ ଖୁବ୍ ଶୀଘ୍ର ଓଡ଼ିଶାରେ ଏହା ପହଞ୍ଚିବା ନେଇ ଆଶା କରାଯାଉଛି।
ତେବେ ଆଜି ଅର୍ଥାତ୍ ରବିବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଗତ ଦୁଇଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କୋହଲା ପାଗ ଯୋଗୁଁ ତାପମାତ୍ରା ପରିବର୍ତ୍ତନ ଘଟିଛି। ଏହାସତ୍ତ୍ବେ ଅଧିକାଂଶ ସ୍ଥାନରେ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ରାଜ୍ୟବାସୀ।
ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କନାଳ, ଅନୁଗୁଳ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ନେଇ ଆକଳନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ୫ରୁ ୬ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ପ୍ରଭାବ ନାହିଁ । କିନ୍ତୁ ଉପକୂଳ ଅଞ୍ଚଳରୁ ଉଷ୍ଣ ଆର୍ଦ୍ର ବାୟୁ ପ୍ରବେଶ କରୁଥିବାରୁ କେତେକ ଅଞ୍ଚଳରେ ବର୍ଷା ହୋଇପାରେ।
ଆଉ ଅଳ୍ପ କିଛି ଦିନ ମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁବ। ଗତକାଲି ରାଜ୍ୟର ୧୦ଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ରହିଥିଲା। ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ଫୁଲବାଣୀ, ଟିଟିଲାଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇଛି।
ବର୍ଷା ସହ ୧୧ ଜିଲ୍ଲାରେ ୪୮ ଘଣ୍ଟା ପରେ ବର୍ଷା ପରିମାଣ କମିପାରେ। କାଁ ଭାଁ ଜାଗାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଗତ ଦୁଇ ଦିନ ହେଲା ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ସକାଳୁ ପାଗ କୋହଲ ରହିଥିବା ଦେଖା ଦେଇଥିଲା।