SUNSTARTV
ଗତକାଲି ସରିଲା ଗଣତନ୍ତ୍ରର ମହାନ ପର୍ବ ନିର୍ବାଚନ । ରାଜ୍ୟ ତଥା ଦେଶରେ ହୋଇଥିଲା ଶେଷ ପର୍ଯ୍ୟାୟ ଭୋଟ । ଏନେଇ ଲୋକଙ୍କ ମନରେ ଦେଖିବାକୁ ମିଳିଥିଲା ଅନେକ ଉତ୍କଣ୍ଠା । ରାଜ୍ୟର ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ଆସନ ପାଇଁ ପଡିଥିଲା ଭୋଟ । ଯେଉଁଥିରେ ନିଜର ମତସାବ୍ୟସ୍ତ କରିବା ପାଇଁ ବୁଥରେ ଲାଗିଥିଲା ଭୋଟରଙ୍କ ପ୍ରବଳ ଭିଡ । ତେବେ ଏହାରି ଭିତରେ ବିଭିନ୍ନ ସ୍ଥାନରୁ ଆସିଛି କିଛି ଦୁଃଖଦ ଖବର । ଯାହା ଜାଣିବା ପରେ ଆପଣଙ୍କ ଆଖିରେ ବି ଆସିବ ଯିବ ଲୁହ । କାରଣ ଏହି ଭୋଟ ପାଇଁ କିଏ ତାର ଶଙ୍ଖା ସିନ୍ଦୁରକୁ ହରାଇଛି ତ ପୁଣି କିଏ ବାପକୁ ହରାଇ ଅନାଥ ହୋଇଛି । ପୁଣି କେଉଁଠି ଏହିି ଭୋଟ ପାଇଁ ଖାଲି ହୋଇଯାଇଛି ମା କୋଳ । ଆଉ କେଉଁଠି ପୁଣି କର୍ତ୍ତବ୍ୟ ପାଇଁ ଟଲିପଡିଲା ଜୀବନ । ତେବେ ଏହିସବୁ ଘଟଣା ଗତକାଲି ଭୋଟ ସମୟରେ ହିଁ ଘଟିଛି ।
ମିିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଚାଲିଥିଲା ଶେଷ ପର୍ଯ୍ୟାୟ ମତଦାନ । ଫଳରେ ବିଭିନ୍ନ ସ୍ଥାନରେ ଭୋଟ ଦେବାକୁ ଲାଗିଥିଲା ପ୍ରବଳ ଭିଡ । ଏହିରି ଭିତରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଇଶ୍ୱରପୁର ସରକରୀ ନଡୋଲ ବିଦ୍ୟାଳୟର ବୁଥ ନମ୍ବର ୧୫୯କୁ ଭୋଟ ଦେବାକୁ ଯାଇଥିଲେ ସୁରେନ୍ଦ୍ର ମହାନ୍ତି ଏବଂ ତାଙ୍କ ଧର୍ମ ପତ୍ନୀ । ବୁଥରେ ପ୍ରବଳ ଗରମ ଗୁଳୁଗୁଳି ହେଉଥିବା ବେଳେ ଭୋଟର ପାଇଁ ନଥିଲା କୌଣସି ସୁବିଧା । ଏପଟେ ଭୋଟ ଦେବାରୁ ମଧ୍ୟ ଭୋଟରଙ୍କ ପ୍ରବଳ ଭିଡ ଲାଗିଥିଲା । ଏହାରି ଭିତରେ ବୟସାଧିକ ଥିବାରୁ ସୁରେନ୍ଦ୍ରବାବୁ କହିଥିଲେ ତାଙ୍କ ପତ୍ନୀ ଏବଂ ତାଙ୍କୁ ଟିକେ ଆଗୁଆ ଭୋଟ ଦେବାକୁ ଛାଡିବାକୁ । ତାଙ୍କ କଥା କେହି ଶୁଣି ନଥିବା ବେଳେ ତଙ୍କୁ ଅପେକ୍ଷା କରିବାକୁ କହିଥିଲା । କିନ୍ତୁ ଏତେ ଭିଡ ଦେଖି ଉଭୟ ପତି ପତ୍ନୀ ଘରକୁ ଫେରିଯାଇଥିଲେ । ପୁଣି ଆସି ଦେଖନ୍ତି ବୁଥରେ ସେଇ ଭିଡ । ଏମିତି ୩ ଥର ଘରକୁ ଫେରି ପୁଣି ବୁଥକୁ ଭୋଟ ଦେବାକୁ ଫେରିଥିଲେ । ହେଲେ ତୃତୀୟ ଥର କିନ୍ତୁ ଆଉ ବୁଥରୁ ଘରକୁ ଫେରିନଥିଲେ । ଗରମ ଯୋଗୁଁ ସେ ଅସୁସ୍ଥ ହୋଇପଡି ସେହିଠାରେ ହିଁ ଅଚେତ ହୋଇପଡିଥିଲେ । ପାଖରେ ଥିବା ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ସେତେବେଳକୁ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବିଧାତାର ଏ କି ଖେଳ । ଗୋଟେ ପଟେ ଦାୟିତ୍ୱ ଆଉ ଗୋଟେ ପଟେ ମୃତ୍ୟୁ । ଶେଷରେ ମୃତ୍ୟୁ ଜିତିଗଲା । ବାକି ରହିଗଲା ଗଣତନ୍ତ୍ର ଦାୟିତ୍ୱ । ଏତେଦିନ ଧରି ଯୋଉ ସ୍ୱାମୀଙ୍କୁ ଗୋଡେ ଗୋଡେ ଜଗୁଥିଲେ, ତାଙ୍କ ଦେହ ପା କଥା ବୁଝୁଥିଲେ ଏ ଭୋଟ ତାଙ୍କୁ ଛଡାଇନେଲା । ଏ ବୁଢା ବୟସରେ ଶେଷ ଆସରାକୁ ଛଡାଇନେଲା । ଏକଥା କହି ବାହୁନି ବାହୁନି କାନ୍ଦୁଛନ୍ତି ସୁରେନ୍ଦ୍ରଙ୍କ ବୟସ୍କା ସ୍ତ୍ରୀ ।
ସେହିପରି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଓଳେଇ ଚନ୍ଦନପୁରେ ଜଣେ କାର୍ଯ୍ୟରତ ବିଏଲଓ ଙ୍କର ମଧ୍ୟ ହୋଇଛି । ଭୋଟ ବୁଥରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସହକର୍ମୀଙ୍କ କହିବା ଅନୁଯାୟୀ ପ୍ରବଳ ଗରମ ଏବଂ ସରକାରୀ କାମ ଚାପ ଯୋଗୁଁ ବିଏଲଓଙ୍କୁ ଅଂଶୁଘାତ ହୋଇଛି । ଫଳରେ ଅକାଳରେ ଆଖି ବୁଝିଛନ୍ତି ବିଏଲଓ । ତେବେ ତାଙ୍କର ମୃତ୍ୟୁ ପରେ ବୁଥରେ କିଛି ସମୟ ପାଇଁ ହୋହାଲ୍ଲା ହୋଇଥିବା ବେଳେ ସେଠାରେ ଚାଞ୍ଚଲ୍ୟ ଖେଳିଯାଇଥିଲା ।
ଅନ୍ୟପକ୍ଷେ ଗତକାଲି ଏହି ଭୋଟ ପାଇଁ ଜଣେ ମା କୋଳ ସବୁଦିନ ପାଇଁ ଖାଲି ହୋଇଯାଇଛି । ୫ ବର୍ଷର ସୁନା ଝିଅକୁ ହରାଇ ନିଜ କୋହ ସମ୍ଭାଳିପାରୁନା ମା ଜଣଙ୍କ । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପ୍ରହରାଜପୁରରେ । ସେହି ଗ୍ରାମର କାର୍ତ୍ତିକ ପ୍ରଧାନଙ୍କ ୫ ବର୍ଷର ଝିଅ ସରସ୍ୱତୀ ପ୍ରଧାନଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି । ଦିନ ୧୨ଟା ବେଳେ ମଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାକୁ ଯାଇଥିଲେ । ଭୋଟ ଦେଇ ଆସି ଘରେ ଖୋଜିଲା ବେଳକୁ ଝିଅକୁ ପାଇନଥିଲେ । ଦୀର୍ଘ ସମୟ ପରେ ଝିଅ ସରାସ୍ୱତୀ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ । ଉଦ୍ଧାର କରି ଝିଅକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବି ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ ।
ଏହାସହ ବିଭିନ୍ନ ବୁଥରେ ଭୋଟର ଅସୁସ୍ଥ ହୋଇପଡିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଅସ୍ତରଙ୍ଗରେ ଅଚେତ ହୋଇପଡିଲେ ମହିଳା ଭୋଟର । ୨୪୩ ନମ୍ବର ବୁଥକୁ ଭୋଟ ଦେବାକୁ ଆସିଥିବାବେଳେ ହଠାତ୍ ଚେତାଶୂନ୍ୟ ହୋଇପଡିଥିଲେ । ପ୍ରବଳ ଗୁଳୁଗୁଳି ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ତେବେ ଆଶୁ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଥିଲା । କେବଳ ଅସ୍ତରଙ୍ଗରେ ନୁହେଁ ଅନ୍ୟ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଏଭଳି ଅଘଟଣ ସାମ୍ନାକୁ ଆସିଥିଲା।