Sunstar TV :
ବିବାଦ ଥମିବାର ନାଁ ଧରୁନି, ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲା । ଏହି ମାମଲାରେ ପୁଲିସ୍ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫେରାର ଥିବା ନାବାଳକ ଅଭିଯୁକ୍ତର ମା’ ଶିବାନୀ ଅଗ୍ରଓ୍ୱାଲଙ୍କୁ ଗିରଫ କରିଛି ପୁଲିସ୍ । ଏନେଇ ପୁଣେ ପୁଲିସ୍ କମିଶନର ଅମିତେଶ କୁମାର ସୂଚନା ଦେଇଛନ୍ତି ।
ତାଙ୍କ ଉପରେ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଗଲା ଜାଣନ୍ତୁ :
ମଦ ନିଶାରେ ଗାଡି ଚଳାଉଥିବା ପୁଅକୁ ବଞ୍ଚାଇବାକୁ ବିଲ୍ଡର ପତ୍ନୀ ତଥା ଶିବାନୀ ଅଗ୍ରଓ୍ୱାଲ ରକ୍ତ ନମୁନା ବଦଳାଇଥିଲେ। ପୁଅର ରକ୍ତ ନମୁନା ସହ ନିଜର ରକ୍ତ ନମୁନାକୁ ବଦଳାଇବା ପାଇଁ ସେ ଡାକ୍ତରଙ୍କୁ କହିଥିଲେ । ଏହି ବ୍ଲଡ ସାମ୍ପୁଲ ବଦଳାଇବା ପାଇଁ ଅଭିଯୁକ୍ତର ପରିବାର ଲୋକେ ଡାକ୍ତରଙ୍କୁ ୩ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଶିବାନୀ ଅଗ୍ରଓ୍ୱାଲ ଫେରାର ହୋଇଯାଇଥିଲେ। ହେଲେ ଗତକାଲି ପୁଲିସ୍ ତାଙ୍କୁ ଗିରଫ କରିଛି। ପୁଲିସ୍ ସୂଚନା ମୁତାବକ, ଦୁର୍ଘଟଣା ଘଟିବା ସମୟରେ ମଦ୍ୟପାନ କରି ନଥିବା ପ୍ରମାଣ କରିବା ପାଇଁ ମା’ ଶିବାନୀ ଅଗ୍ରଓ୍ୱାଲ ନିଜ ରକ୍ତ ନମୁନା ସହ ପୁଅର ରକ୍ତ ନମୁନାକୁ ବଦଳାଇ ଦେଇଥିଲେ । ତଦନ୍ତ ପରେ ଏହି କଥା ସାମ୍ନାକୁ ଆସିଥିଲା । ଶିବାନୀ ଖୁବ୍ ଚାଲାକ କାମ କରିଥିଲେ । ପୁଣେ ସସୁନ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀହରୀ ହଲନୋର ଓ ତାଙ୍କ ଷ୍ଟାଫ ମିଶି ଅଭିଯୁକ୍ତର ବ୍ଲଡ ସାମ୍ପୁଲରେ ହେରଫେର୍ କରିଥିଲେ। ଏହି ହେରଫେର୍ ଅଭିଯୋଗରେ ଡାକ୍ତର ହଲନୋର, ଡାକ୍ତର ଅଜୟ ତାଓ୍ୱଡେ ଓ ଜଣେ ହସ୍ପିଟାଲର କର୍ମଚାରୀକୁ ପୁଲିସ ଗିରଫ କରିଥିଲା। ଏହି ଦୁଇ ଡାକ୍ତର ଗିରଫ ହେବା ପରେ ଶିବାନୀ ଅଗ୍ରଓ୍ୱାଲ ଫେରାର ହୋଇଯାଇଥିଲେ। ମଦ ନିଶାରେ ନାବଳକ ଅଭିଯୁକ୍ତ ଜଣକ ପୋର୍ସ କାର୍ ଚଳାଇ ଏକ ବାଇକ୍କୁ ଧକ୍କା ଦେଇଥିଲେ। ଏଥିରେ ଦୁଇଜଣ ଆଇଟି ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ପରିବାରର ଲୋକ ଡ୍ରାଇଭରକୁ ଅପହରଣ କରି ନିଜ ମୁଣ୍ଡ ଉପରେ ଦୋଷ ନେବାକୁ ତାଙ୍କ ଉପରେ ଚାପ ପକାଇବା ଅଭିଯୋଗରେ ବିଲ୍ଡର ଅମିତ ଅଗ୍ରଓ୍ୱାଲ ବାପା ଏବଂ ଜେଜେ ବାପାଙ୍କୁ ମଧ୍ୟ ଗିରଫ କରିସାରିଛି ପୁଲିସ । ଆଜି ମା’ ଗିରଫ ହୋଇଛନ୍ତି, ଆଉ ପୁଅ ଏବେବି ଫେରାର୍ ଅଛି ।