SunstarTV
ରାଜ୍ୟ ତଥା ଦେଶରେ ଚାଲିଛି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଏହା ପାଇଁ ସକାଳ ୭ଟାରୁ ଭୋଟିଙ୍ଗ ଆରମ୍ଭ ହୋଇଯାଇଛି । ଏହା ଭିତରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ପର୍ଯ୍ୟାୟରେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଏହା ସହିତ ଓଡ଼ିଶାର ୪୨ଟି ବିଧାନସଭା ଆସନ ନିମନ୍ତେ ଭୋଟ ଗ୍ରହଣ ହେଉଛି।
ନିର୍ବାଚନ ପରିଚାଳନା ନିମନ୍ତେ ୧୦.୯ ଲକ୍ଷ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି। ୧.୦୯ ଲକ୍ଷ ମତଦାନ କେନ୍ଦ୍ରରେ ୧୦.୦୬ କୋଟିରୁ ଅଧିକ ଭୋଟର ମତଦାନ କରିବେ। ଭୋଟ ଗ୍ରହଣ ହେବାକୁ ଥିବା ଆସନଗୁଡିକ ମଧ୍ୟରେ ବିହାରର ୮ଟି, ହିମାଚଳ ପ୍ରଦେଶର ୪ଟି, ଝାଡଖଣ୍ଡର ୩ଟି, ଓଡ଼ିଶାର ୬ଟି, ପଞ୍ଜାବର ୧୩ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୯ଟି ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ୧ଟି ଅଛି। ଏହି ପର୍ଯ୍ୟାୟରେ ମୋଟ ୯୦୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସର ଅଜୟ ରାୟ, ବିଜେପିର କଙ୍ଗନା ରଣାୱତ, କଂଗ୍ରେସର ବିକ୍ରମାଦିତ୍ୟ ସିଂହ, କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର, କଂଗ୍ରେସର ସତପାଲ ସିଂହ ରୈଜାଦା, ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ, ଆରଜେଡିର ମିଶା ଭାରତୀ, କଂଗ୍ରେସର ଚରଣଜିତ ସିଂହ ଚାନ୍ନି ଓ ଅକାଳୀ ଦଳର ହରସିମରତ ସିଂହ କୌର ବାଦଲ।
ସୂଚନା ଅନୁସାରେ ଆସନ୍ତା ଜୁନ୍ ୪ ତାରିଖରେ ସମସ୍ତ ୫୪୨ଟି ଲୋକସଭା ଆସନ ସହିତ ଓଡିଶା, ଆନ୍ଧ୍ରପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ଆସନର ଭୋଟ ଗଣତି ହେବ ଏବଂ କିଏ ଏହି ଆସନର ହକଦାର ହେବ ତାହା ସ୍ପଷ୍ଟ ହେବ।