SunstarTV
କେବଳ ରାଜ୍ୟ ନୁହେଁ ସାରା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପ୍ରଚଣ୍ଡ ଖରା ପାଇଁ ଲୋକ ମାନଙ୍କ ଜୀବନ ପୋକ ମାଛି ପରି ଚାଲି ଯାଉଛି । ଏହା ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଗ୍ରୀଷ୍ମ ପ୍ରଭାବ ପାଇଁ ଦେଶବ୍ୟାପୀ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ କେବଳ ବିହାର ଏବଂ ଉତ୍ତରପ୍ରଦେଶରେ ୨୩୭ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶରେ ୧୬୪ ଜଣ ଥିବା ବେଳେ ବିହାରରେ ୭୩ ଜଣ ମୃତ୍ୟୁବରଣ କରିଛନ୍ତି।
ସୂଚନା ଅନୁସାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗରମ ଓ ଗୁଳୁଗୁଳି ଯୋଗୁ ଲୋକଙ୍କ ପ୍ରାଣହାନି ଘଟୁଛି। ଉତ୍ତରପ୍ରଦେଶରେ ଶୁକ୍ରବାର ସକାଳ ସୁଦ୍ଧା ୧୬୪ ଜଣ ପ୍ରାଣ ହରାଇଥିବା ଜଣାଯାଇଛି। ଦିଲ୍ଲୀରେ ବି ଗତକାଲି ପ୍ରଥମ ଅଂଶୁଘାତ ମୃତ୍ୟୁ ହୋଇଥିଲା। ସେହିପରି ବିହାରରେ ବୁଧବାରଠାରୁ ଗୁରୁବାର ସନ୍ଧ୍ୟା ମଧ୍ୟରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି।
ଦେଖିବାକୁ ଗଲେ ଉତ୍ତାପ ୨୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି | ଏଠାରେ ସର୍ବାଧିକ ତାପମାତ୍ରା ୪୫.୧ ଡିଗ୍ରୀ ସେଲସିୟସରେ ପହଞ୍ଚିଛି | ଏହାପୂର୍ବରୁ ମେ ୩୧, ୧୯୯୫ ରେ ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା।
ଚଳିତ ବର୍ଷ ପଞ୍ଜାବର ଫରିଦକୋଟ ଏବଂ ରାଜସ୍ଥାନର ଶ୍ରୀଗଙ୍ଗାନଗର ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ରହିଥିଲା। ଏହି ଦୁଇ ସ୍ଥାନରେ ତାପମାତ୍ରା ୪୮.୩ ଡିଗ୍ରୀ ରହିଥିଲା। ଉତ୍ତରପ୍ରଦେଶର ବୁଲନ୍ଦସହରରେ ତାପମାତ୍ରା ୪୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ନୂଆଦିଲ୍ଲୀରେ ୪୫.୬ ଏବଂ ନୋଏଡାରେ ୪୭.୩ ଡିଗ୍ରୀ ରେକର୍ଡ ହୋଇଥିଲା।