Sunstar TV :
କାଳ ହେଲା ବାହାଘର ଭୋଜି ଖାଇବା । ଭୋଜି ଖାଇ ଶତାଧିକ ଲୋକେ ଅସୁସ୍ଥ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଟୋଙ୍କ ଜିଲ୍ଲା ବିଜୱାଡ ଗାଁରୁ । ସମସ୍ତଙ୍କ ଖାଦ୍ୟ ବିଷକ୍ରିୟା ବା ଫୁଡ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ତହସିଲଦାରଙ୍କ ସହ ଥାନା ଅଧିକାରୀ ବିବାହ ସ୍ଥଳରେ ପହଞ୍ଚି ଖାଦ୍ୟର ଯାଞ୍ଚ କରିବା ସହ ନମୁନା ସଂଗ୍ରହ କରିଛନ୍ତି । ସୂଚନାନୁସାରେ ବିଜୱାଡ ଗାଁରେ ଜଣଙ୍କର ବିବାହ ସମାରୋହ ଥିଲା । ଏହି ଅବସରରେ ଭୋଜିଭାତର ଆୟୋଜନ କରାଯାଇଥିଲା । ବିବାହରେ ପ୍ରାୟ ୧ ହଜାରରୁ ଅଧିକ ଲୋକ ସାମିଲ ହୋଇ ଭୋଜି ଖାଇଥିଲେ । କିନ୍ତୁ ଭୋଜି ଖାଇବାର କିଛି ଘଣ୍ଟା ମଧ୍ୟରେ କାହାର ବାନ୍ତି ହୋଇଥିଲା ତ ଆଉ କାହାର ପେଟ ଯନ୍ତ୍ରଣା ହୋଇଥିଲା । ଏପରିକି ଏକାଥରେ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିଲେ । ଏହାକୁ ନେଇ ଆତଙ୍କ ଖେଳି ଯାଇଥିଲା । ତେବେ ଖାଦ୍ୟ ବିଷକ୍ରିୟା କାରଣରୁ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିବାର ଅନୁମାନ କରାଯାଉଛି । ଗ୍ରାମବାସୀ ଅସୁସ୍ଥମାନଙ୍କୁ ଆମ୍ବୁଲାନ୍ସରେ ନେଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହି ସୂଚନା ପାଇ ସ୍ଥାନୀୟ ଥାନା ପ୍ରଭାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟ ସାମଗ୍ରୀର ଯାଞ୍ଚ କରିଥିଲେ । ଏହି ସମୟରେ ଭୋଜିରେ ବ୍ୟବହାର ହୋଇଥିବା ଖୁଆରୁ ଖଟା ଦୁର୍ଗନ୍ଧ ବାହାରୁଥିବା ସହ ଏହା ପୁରାପୁରି ନଷ୍ଟ ହୋଇଯାଇଥିବା ଦେଖାଯାଇଥିଲା । ତେଣୁ ଏହି ଖରାପ ଖୁଆ କାରଣରୁ ସମସ୍ତଙ୍କର ଖାଦ୍ୟ ବିଷକ୍ରିୟା ବା ଫୁଡ ପଏଜନିଂ ହୋଇଥିବା ସନ୍ଦେହ କରାଯାଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ରାଜସ୍ଥାନର ଉଦୟପୁର ଜିଲ୍ଲାରେ ମଧ୍ୟ ଏକ ନିର୍ବନ୍ଧ ଭୋଜି ଖାଇ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୪୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଖାଦ୍ୟ ବିଷକ୍ରିୟା କାରଣରୁ ସମସ୍ତଙ୍କ ଦେହ ଅସୁସ୍ଥ ହୋଇଥିଲା ।