Sunstar TV :
ସାବଧାନ ଏଥର ଜଳ ନଷ୍ଟ କଲେ ଦେବାକୁ ପଡିବ ଜୋରିମାନା । ଏଭଳି ନିୟମ ଲାଗୁ ହୋଇଛି ରାଜଧାନୀ ଦିଲ୍ଲୀରେ । ଏନେଇ ନିଦେ୍ର୍ଦଶ ବି ଦେଇଛନ୍ତି ମନ୍ତ୍ରୀ ଆତିଶୀ । ଗତ କିଛିଦିନ ହେବ ଦିଲ୍ଲୀରେ ପ୍ରବଳ ଗରମ ଅନୁଭୂତି ହେଉଥିବ ବେଳେ ଜଳ ସମସ୍ୟା ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ବଡ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯଦି କେହି ଲୋକ ଏଠି ଜଳ ଅନ୍ୟଥାରେ ନଷ୍ଟ କରେ ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହି ବ୍ୟଙ୍କି ଜଣଙ୍କୁ ୨ହଜାର ଟଙ୍କା ଦେବାକୁ ପଡିବ । ତେବେ ଏହି ନିୟମ ଦିଲ୍ଲୀରେ ଆଜିଠୁ ଲାଗୁ ହୋଇଛି ।
“ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଜଳ ବୋର୍ଡ ତରଫରୁ ୨୦୦ ଟିମ୍ ଗଠନ ହୋଇଛି । ଆସନ୍ତାକାଲି ସକାଳୁ ଏହି ଟିମର ସଦସ୍ୟମାନେ ନିଜର କାର୍ଯ୍ୟ ଆରମ୍ଭ କରିବେ । ଦୋକାନ ବଜାର, ଗଳିକନ୍ଦି ସବୁଠି ପଇଁତରା ମାରିବା ସହ କଡ଼ା ନଜର ରଖିବ ଟିମ୍ । ଆଉ ଯିଏ ପାଣି ନଷ୍ଟ କରୁଥିବାବେଳେ ଧରାପଡ଼ିବ ତା ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଜଳ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।” ଜଳମନ୍ତ୍ରୀ ଆତିଶୀ ଅଭିଯୋଗ ଆଣିଛନ୍ତି ଯେ, ହରିୟାଣା ସରକାର ଯମୁନା ନଦୀକୁ ପାଣି ଛାଡିବା ବନ୍ଦ କରିଦେଇଛନ୍ତି । ଫଳରେ ଜଳସ୍ତର କମିବାରେ ଲାଗିଛି । ତେବେ ଜଳସ୍ତର କମୁଥିବାରୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କୁ ମଧ୍ୟ ପାଣି ଆସିପାରୁନାହିଁ । ସେପଟେ ଦିଲ୍ଲୀରେ ଯାନବାହନ ସଂଖ୍ୟା ଅଧିକ ଥିବାବେଳେ ଅନେକ ଗୁଡ଼ିଏ ସର୍ଭିସ ସେଣ୍ଟର ରହିଛି । ଯେଉଁଠାରେ ଯାନବାହନଗୁଡ଼ିକୁ ପାଣିରେ ଧୋଇବା ସହ ସଫା କରାଯାଇଥାଏ । ଜଳ ସଙ୍କଟ ଦେଖା ଦେବା ଦ୍ବାରା ଏହି ସବୁ ବ୍ୟବସାୟ ମଧ୍ୟ ଠପ୍ ହୋଇପଡ଼ିବ ବୋଲି ଏକ ପ୍ରକାର ଆଶଙ୍କା କରାଯାଉଛି ।