Sunstar TV :
ଆଜିକା ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଲୋକେ ଦୁନିଆର ଖବର ଜାଣିବା ପାଇଁ ମୋବାଇଲ ଉପରେ ନିର୍ଭରଶୀଳ । ଏପରିକି ନିଦ ହେବା ପାଇଁ ମୋବାଇଲ ମଧ୍ୟ ଏକ ମାଧ୍ୟମ ପାଲଟିଗଲାଣି । ଏପରିକି କିଛି କିଛି ଲୋକ ମାନସିକ ଦୁଶ୍ଚିନ୍ତାରୁ ଦୂରେଇବା ପାଇଁ ମୋବାଇଲ ବ୍ୟବହାର କରିଥାନ୍ତି । ତେବେ କେବେ ଠୁ ଓ କିପରି ଲୋକଙ୍କୁ ମୋବାଇଲ ନିଶା ଘାରିଛି ଚାଲନ୍ତୁ ଜାଣିବା । ସେ ଅଫିସରେ କାମ କରିବା ହେଉ କି ଶୋଇବା ସମୟ ହେଉ କିମ୍ବା ସକାଳେ ଉଠିବା କି ଗାଡି ଚଳାଇବା ହେଉ ଏମିତିକି ରାସ୍ତାରେ ଚାଲିବା ସମୟରେ କି ଗୋଟେ ସ୍ଥାନରେ କିଛି ସମୟ ଅପେକ୍ଷା ହେଉ ଆମେ ମୋବାଇଲ୍ ବ୍ୟବହାର ଛାଡି ପାରୁନାହୁଁ । ଯଦି ଆପଣଙ୍କର ମୁଣ୍ଡ ବୁଲାଉଛି କି ଆଖି କିମ୍ବା କାନରେ ଯନ୍ତ୍ରଣା ଯୋଗୁଁ ଆପଣ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ତେବେ ଡାକ୍ତରଙ୍କ ପ୍ରଥମ ପ୍ରଶ୍ନ ‘ଦିନରେ ଆପଣ କେତେ ଘଣ୍ଟା ମୋବାଇଲ୍ ବ୍ୟବହାର କରନ୍ତି ।‘ ଧ୍ୟାନର ଅଭାବ କିମ୍ବା ଧ୍ୟାନର ଅବନତିର ସମସ୍ୟାର ମୂଳରେ ମଧ୍ୟ ମୋବାଇଲ୍ ଫୋନ୍ ପ୍ରାୟତ ଦୋଷୀ ବୋଲି ଜଣାପଡିଛି ।
କାହିଁକି ମୋବାଇଲ୍ ଏକ ନିଶା ?
ମୋବାଇଲ ଆସିଲା ପରେ ମନୋରଞ୍ଜନର ସଜ୍ଞା ବଦଳିଯାଇଛି । ଆଗରୁ ବହି , ଟିଭି, ରେଡିଓ କି ସେହିଭଳି କିଛି ଆମ ପାଇଁ ମନୋରଞ୍ଜନର ମାଧ୍ୟମ ଥିଲା । କିନ୍ତୁ ଆଜି ସେଥିରେ ଦେଉଥିବା ସବୁ ବିଷୟ ଏବଂ ତାଠୁ ଆହୁରି ଅଧିକ ମୋବାଇଲରେ ଉପଲବ୍ଧ । ତେଣୁ ଖାଲି ଯୁବପୀଢି ନୁହେଁ ପ୍ରାୟ ସବୁ ବୟସ ବର୍ଗଙ୍କର ମୋବାଇଲର ଆଦର ବଢି ଯାଇଛି । ମୋବାଇଲରେ ଜଣେ ଯେଉଁ ବିଷୟରେ ଚାହୁଁଛି ସେଇ ବିଷୟରେ ତଥ୍ୟ, ଚିତ୍ର ଓ ଭିଡିଓ ଦେଖି, ଶୁଣି ଓ ପଢି ପାରୁଛି । ଖାଲି ଦେଖିବା ପଢିବା ଶୁଣିବା ନୁହେଁ ନିଜର ପାରିଦର୍ଶିତା ଥାଉ ବା ନଥାଉ ସେ ମଧ୍ୟ ସମ୍ପୃକ୍ତ ବିଷୟରେ ନିଜର ମତମତାକୁ ସେୟାର କରିପାରୁଛି । ତେଣୁ ମୋବାଇଲର ଆଦର ଏତେ ବଢି ଯାଇଛି ଯେ ଏହା ଏକ ନିଶା ପରି ପ୍ରାୟ ସମସ୍ତଙ୍କୁ ଗ୍ରାସ କରିଛି । ସବୁଠୁ ବଡକଥା ହେଲା ଟାଇମପାସ । ଆମକୁ ଯେତେବେଳେ ବି ଟିକିଏ ଖାଲି ସମୟ ମିଳୁଛି ଆମ ଛୋଟ ଛୋଟ ଭିଡିଓ ଇତ୍ୟାଦି ଦେଖିବା ଆରମ୍ଭ କରିଦେଉଛି । ବହିପରି ତାକୁ ସମ୍ପୂର୍ଣ ପଢିବା ଆବଶ୍ୟକ ପଡୁନାହିଁ ।
କେବଳ ଯୋଗାଯୋଗର ମାଧ୍ୟମ ପାଇଁ ତିଆରି ହୋଇଥିବା ମୋବାଇଲ୍ ବର୍ତ୍ତ ମାନ ବିଶ୍ୱର ସବୁ ବ୍ୟବହାରକୁ ନିଜ କବଳକୁ ନେଇଯିବାକୁ ବସିଲାଣି । ସୋସିଆଲ ନେଟୱାର୍କ, ଚଳଚ୍ଚିତ୍ର, ଖେଳ, ମନୋରଞ୍ଜନ ,ବ୍ୟାଙ୍କିଙ୍ଗ ଇତ୍ୟାଦି ସବୁ ବିଷୟ ଆଜି ମୋବାଇଲରେ ଉପଲବ୍ଧ ।
କେତେ କ୍ଷତିକାରକ ମୋବାଇଲ :
ସାମାଜିକ ଗଣମାଧ୍ୟମରେ ଅଜଣା ଲୋକଙ୍କ ସହ ବନ୍ଧୁତା କରିବା ଯେତିକି ମଜାଦାର ସେତିକି ବିପଦପୂର୍ଣ୍ଣ ମଧ୍ୟ । ନଜାଣି ନଶୁଣି ଆମେ ଲୋକଙ୍କ ଫାସରେ ପଡ଼ିଥାଉ ଏବଂ ଅଜାଣତରେ ବିପଦକୁ ଠେଲି ହେଇଯାଉ । ରାସ୍ତାରେ ଚାଲୁଥିବା ସମୟରେ ଇୟରଫୋନ୍ ବ୍ୟବହାର ଯୋଗୁଁ ଆମକୁ ଯିବାଆସିବା କରୁଥିବା ଗାଡି ଶବ୍ଦ ଶୁଣିବାରେ ଅସୁବିଧା ହୋଇଥାଏ ଏବଂ ଦୁର୍ଘଟଣା ଘଟିବାର ସମ୍ଭାବନା ବହୁତ ବଢିଯାଇଥାଏ । ସେହିପରି ଅଫିସରେ କାମ କରିବା ସମୟରେ ଇୟରଫୋନ୍ ବ୍ୟବହାର କାମ କରିବାର କ୍ଷମତାକୁ ହ୍ରାସ କରିଥାଏ ବୋଲି ଅନୁସନ୍ଧାନରୁ ଜଣାପଡିଛି । ପ୍ରାୟ ପିତାମାତା ମାନଙ୍କର ଅଭିଯୋଗ ଯେ ପିଲାମାନେ ମୋବାଇଲ ଯୋଗୁଁ ଠିକରେ ଉତ୍ତର ଦେଉନାହାଁନ୍ତି । ଆମକୁ ଏହାପରି ଅନେକ ସମସ୍ୟା ମୋବାଇଲ ଯୋଗୁ ସାମନା କରିବାକୁ ପଡୁଛି ।
କିପରି ପାଇବେ ମୁକ୍ତି :
ଏଥିରୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ନିଜକୁ ହିଁ ଚେଷ୍ଟା କରିବାକୁ ପଡ଼ିବ । ହଜେଇ ଦେଇଥିବା ପୁରୁଣା ରୁଚି ସବୁକୁ ଫେରେଇ ଆଣିବାକୁ ପଡ଼ିବ । ଯେପରି ଚିତ୍ର କରିବା , ବହି ପଢିବା, ଉଦ୍ୟାନ କାମ କରିବା । ସବୁଠୁ ବଡକଥା ହେଲା ନିଜ ପରିବାର ସହିତ ସମୟ ଦେଲା ବେଳେ ମୋବାଇଲ ଠୁ ସମ୍ପୂର୍ଣ୍ଣ ଦୂରେଇ ରହିବା ।