Sunstar Tv
Heat Wave: ଜଳୁଛି ଓଡ଼ିଶା । ଦିନ ହେଉ କି ରାତି ପ୍ରବଳ ଗୁଳୁଗୁଳି । ରାତିରେ ଠିକ୍ ଭାବରେ ନିଦ ବି ହେଉନି । ଏତେ ଗରମ ଯେ ଲାଗୁଛି ଯେମିତି ତାତି ୬୦ ଡିଗ୍ରୀ ଉପରେ ।
ଆଉ ଆଜି ବି ରାଜ୍ୟରେ ଅନୁଭୂତ ହେବ ଅସହ୍ୟ ତାତି । ଆଜି ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ରାଜଧାନୀର ଆଦ୍ରତା ୮୭ ପ୍ରତିଶତ ରହିଛି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡିରେ ବି ଗ୍ରୀଷ୍ମପ୍ରବାହ ବି ଅନୁଭୂତ ହେବ ।
ଉପକୂଳ ଓଡ଼ିଶାର ବି ଭୀଷଣ ଗୁଳୁଗୁଳି କଲବଲ କରିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ଢେଙ୍କାନାଳରେ ଗୁଳୁଗୁଳି ହେବ ।
ସେପଟେ ଦିଲ୍ଲୀରେ ତାତି ଭାଙ୍ଗିଲା ୭୯ ବର୍ଷର ରେକର୍ଡ। ତାପମାତ୍ରା ୫୨ ଡିଗ୍ରୀ ପାର୍ । ଆଉ ୨୪ ଘଣ୍ଟା ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।
୩୧ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଜୁନ ୧ ଓ ୨ ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବ ।
ବିଶେଷକରି ଉତ୍ତର ଓ ଅଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି…
ଗତକାଲି ୪୬ ଡିଗ୍ରୀ ଉପରେ ରହିଥିଲା ୪ ସହର । ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୬ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେପଟେ ଆଜି କେରଳ ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ।