Sunstar TV :
ଆକାଶରେ ଉଡୁଛି ଯୁଦ୍ଧ ବିମାନ । ଟଳୁଛି ମୁଣ୍ଡ, ଯାଉଛି ମଣିଷ ଜୀବନ । ଥରୁଛି ଆକାଶ, ଦୋହଲି ଯାଉଛି ପୃଥୀବି । ଟିକେ ଭାବନ୍ତୁ ତ ଆପଣ ରାତିରେ ଶୋଇଥିବେ । ଆଉ ହଠାତ୍ ଆପଣଙ୍କ ଘର ଉପରେ ବୋମା ପଡିବ । କ’ଣ ହେବ ସେତେବେଳେ ଆପଣଙ୍କ ପରିସ୍ଥିତି । ହଁ ଆଜ୍ଞା ଆମେ କହୁଛୁ ପାଲେଷ୍ଟାଇନ ଗାଜାର ଦକ୍ଷିଣରେ ଥିବା ରାଫା ସହର ଉପରେ । ଟିକଟିକ୍ ଅନ୍ଧାରମୟ ରାଫା ସହର । ସନ୍ଧ୍ୟା ହୋଇଗଲେ ମଣିଷ ମଣିଷକୁ ବି ଦେଖିପାରୁନି । ଆଉ ରାତି ପାହିଲା ବେଳକୁ ମଣିଷ ଶବ ହେଇଯାଉଛି । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ପାଲେଷ୍ଟାଇନ ଗାଜାର ଦକ୍ଷିଣରେ ଥିବା ରାଫା ସହର ଉପରେ । ବଞ୍ଚାଅ ବଞ୍ଚାଅ ଚିତକାରରେ ଫାଟି ପଡୁଛି ଗାଜା ରାଫା । ଜୀବନ ବଞ୍ଚାଇବା ପାଇଁ ଦୌଡୁଛନ୍ତି ଲୋକେ । ଘଡିକେ ଘଡିଏ ଯାଉଛି ମଣିଷ ଜୀବନ । ଏଇନେ ବଞ୍ଚିଛି ଏଇନେ ମରିଯାଉଛି ମଣିଷ । କିଛି ବୁଝିବା ଆଗରୁ ଟଳିପଡୁଛି ମୁଣ୍ଡ । ଭଗବାନଙ୍କୁ ଡାକି ଜୀବନ କାଟୁଛନ୍ତି ଗାଜା ବାସିନ୍ଦା । କାରଣ ଗାଜା ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ରାଫା ଉପରେ ଇସ୍ରାଏଲ କରିଛି ୮ଟି ରକେଟ୍ ମାଡ । ଯେଉଁଥିରେ ୪୦ଜଣ ମଣିଷଙ୍କର ମୃତ୍ୟୁ ହୋଇଛି । ଆଉ ଏହି ଏୟାରଷ୍ଟ୍ରାଇକ ହୋଇଛି ରାଫାର ଶରଣାର୍ଥୀ କ୍ୟାମ୍ପରେ ।
ପାଲେଷ୍ଟାଇନ ଗାଜାର ଦକ୍ଷିଣରେ ଥିବା ରାଫା ସହର ଉପରେ ଇସ୍ରାଏଲର ବଡ ଧରଣର ଆକ୍ରମଣ । ଯେଉଁଥିରେ ଅତି କମ୍ ରେ ୪୦ଜଣ ପ୍ରାଣ ହରାଇଛନ୍ତି । ପାଲେଷ୍ଟାଇନ ମିଡିଆ ରିପୋର୍ଟ ଅନୁସାରେ ଏହି ବିସ୍ଫୋରଣରେ ଶରଣାର୍ଥୀ କ୍ୟାମ୍ପରେ ନିଆଁ ଲାଗି ପ୍ରାୟ ୪୦ ଜଣ ଜୀବନ୍ତ ଜଳି ଯାଇଛନ୍ତି । ରାଫା ଶରଣାର୍ଥୀ କ୍ୟାମ୍ପରେ ହଜାର ହଜାର ବାସହୀନ ଲୋକେ ଶରଣ ନେଇଛନ୍ତି । ଇସ୍ରାଏଲ ସେନା ଏହି କ୍ୟାମ୍ପଙ୍କୁ ଲକ୍ଷ୍ୟ କରି ପାଖାପାଖି ୮ଟି ରକେଟ ମାଡ କରିଛି । ରାଫାର ଏହି ଅଞ୍ଚଳରେ ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ପ୍ରାୟ ଧନୀ ଲୋକେ ବସବାସ କରୁଛନ୍ତି । ରକେଟ ମାଡ ପରେ ଅଞ୍ଚଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ନିଆଁ ଲାଗିବା ପରେ ସେଠାରେ କିଭଳି ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ଭିଡିଓରେ ଦେଖିବାକୁ ମିଳିଛି । ନାଗରିକ ସୁରକ୍ଷା ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଶବ ଉଦ୍ଧାର କରିବା ପାଇଁ ନାକେଦମ ହେବାକୁ ପଡିଛି । ପାଲେଷ୍ଟାଇନ ସୁରକ୍ଷା ରିପୋର୍ଟ ମୁତାବକ ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଏହି ଅଞ୍ଚଳକୁ ସେଫ୍ ଜୋନ୍ ଦର୍ଶାଇଥିଲେ । ଏହି ଆକ୍ରମଣ ପରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ନିଷ୍ପତ୍ତିକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ହମାସ । ପୃଥିବୀର ପ୍ରାୟ ସବୁ ରାଷ୍ଟ୍ର ଏହାକୁ ଘୋରା ନିନ୍ଦା କରୁଛନ୍ତି , କାରଣ ମଣିଷ ଜୀବନ ବି ଏଠି କ୍ଷମତା ପାଇଁ ମୂଲ୍ୟ ହୀନ ।