SunstarTV
ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଗତ କିଛି ଦିନ ହେବ ତାପମାତ୍ରା ତଳକୁ ଖସିଥିବା ବେଳେ ପୁଣି ପାରଦ ବଢ଼ିଛି। ରାଜ୍ୟର ୩ଟି ସହରର ଦିନର ତାପମାତ୍ରା ଗତ କାଲି ୪୫° ତଥା ତାହାଠାରୁ ଉପରକୁ ରହିଥିବା ରେକର୍ଡ କରାଯାଇଛି।
ମଙ୍ଗଳବାର ରାଜ୍ୟରେ ବୌଦ୍ଧ ପାଲଟିଥିଲା ସବୁଠୁ ଉତ୍ତପ୍ତ ସହରର। ଦିନର ସର୍ବୋଚ୍ଚ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁରରେ ୪୫.୩ ଓ ଟିଟିଲାଗଡ଼ରେ ୪୫ ଡିଗ୍ରୀ ରେକର୍ଡ କରାଯାଇଛି ।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟ୍ୱେଭ୍(ଗ୍ରୀଷ୍ମ ପ୍ରବାହ) ସ୍ଥିତି ଜାରି ରହିବ। ୨୯ ଓ ୩୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ହେବ। ବାଲେଶ୍ବର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ସମେତ କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ଲାଗିରହିବ। ନୂଆପଡ଼ା, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲା, ବୌଦ୍ଧ ସହରର ତାପମାତ୍ରା ୪୪ ପାର ହେଇପାରେ । ତେଣୁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଏସ୍ଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
ପରବର୍ତ୍ତୀ ଦୁଇ ଦିନ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାକୁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।