Sunstar TV
ତାଣ୍ଡବ ରଚିଛି ବାତ୍ୟା ରେମାଲ । ନେଉଛି ଗୋଟେ ଗୋଟେ ମୁଣ୍ଡ । ଏହାର ପ୍ରଭାବରେ ଏଯାବତ ୧୬ଜଣଙ୍କ ମୃତୁ୍ୟ ଘଟିଛି । ବାଙ୍ଗାଲାଦେଶରେ ୧୦ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ସେହିପରି ପଶ୍ଚିମବଙ୍ଗରେ ବାତ୍ୟା ଯୋଗୁଁ ଯାଇଛି ୬ଜଣଙ୍କ ଜୀବନ । ସେହିପରି ବାତ୍ୟା ରେମାଲ ପ୍ରଭାବରେ ବାଙ୍ଗଲାଦେଶରେ ୧୫ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଛି । ସିଭିଅର ସାଇକ୍ଲୋନ ଷ୍ଟ୍ରୋମ ରେମାଲ ଗତକାଲି ଲ୍ୟାଣ୍ଡଫଲ କରିବା ପରେ ଏହି କ୍ଷୟକ୍ଷତି ହୋଇଛି । ସେପଟେ ବାତ୍ୟା ‘ରେମାଲ’ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିବା ବେଳେ ଏହାର ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ତେଲେଙ୍ଗାନାରେ ରବିବାର ବାତ୍ୟା ପ୍ରଭାବରେ ହଠାତ ପ୍ରବଳ ବର୍ଷା ଓ ପବନ ସାଙ୍ଗକୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ଖରା ହୋଇଥିବା ବେଳେ ଅପରାହ୍ନରେ ହଠାତ ପାଗରେ ପରିବର୍ତ୍ତନ ଆସିଥିଲା । ପବନର ବେଗ ବଢିବା ପରେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିବା ମଧ୍ୟ ଜଣାପଡ଼ିଛି । ସୂଚନା ଥାଉ କି ରବିବାର ରାତି ପ୍ରାୟ ୯.୩୦ ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ରେମାଲ । ଏହା ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିମି ରହିଥିଲା । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ହାୱଡା, ହୁଗୁଳି, ନାଡିଆ, ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିଲା ।