Sunstar TV
ମୃତୁ୍ୟ ପରେ ବିବାହ । ଏହି ଶବ୍ଦଟି ପଢିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ଏଭଳି ଅଦ୍ଭୂତ ପରମ୍ପରା ଆମ ଦେଶରେ ହିଁ ହେଉଛି । ଯେତେବେଳେ ଆମ ପ୍ରିୟଜନଙ୍କର ମୃତୁ୍ୟ ହୁଏ ଆମେ ଦୁଃଖ ପ୍ରକାଶ କରିଥାନ୍ତି । ସେମାନଙ୍କ ମୃତ୍ୟୁରେ ଶୋକ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ପରମ୍ପରା ଭିନ୍ନ ଭିନ୍ନ ରହିଥାଏ । ଏନେଇ ବିଭିନ୍ନ ସମ୍ପ୍ରଦାୟ ଭିନ୍ନ ଭିନ୍ନ ନିୟମ ପାଳନ କରନ୍ତି । ହେଲେ କର୍ଣ୍ଣାଟକ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳର କିଛି ସମ୍ପ୍ରଦାୟ ଏହିପରି ପରମ୍ପରା ପାଳନ କରନ୍ତି । ଯଦି ସନ୍ତାନଙ୍କ ବିବାହ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ମୃତ୍ୟୁ ପରେ ବି ବିବାହର ଆୟୋଜନ ହୁଏ । ‘ବିବାହ ସ୍ବର୍ଗରେ ସ୍ଥିର ହୋଇଛି ଏବଂ ପୃଥିବୀରେ ସମ୍ପନ୍ନ ହେବ’ ଏହି ଧାରଣା କେରଳ ଏବଂ କର୍ଣ୍ଣାଟକର ଏହି ଉପକୂଳ ସମ୍ପ୍ରଦାୟର ଲୋକେ କାହିଁ କେଉଁ କାଳରୁ ପାଳନ କରିଆସୁଛନ୍ତି । ଏହି ପରମ୍ପରା ଅନୁସାରେ, ଜଣେ ମୃତ ପୁରୁଷ ଏବଂ ସ୍ତ୍ରୀ ପରବର୍ତ୍ତୀ ଜୀବନରେ ବିବାହ କରନ୍ତି । ଏହି ସମ୍ପ୍ରଦାୟର ଲୋକେ ବିଶ୍ବାସ କରନ୍ତି ଯେ, ବିବାହ ବିନା ମୃତ୍ୟୁବରଣ ଉଚିତ ନୁହେଁ । ତେଣୁ ସେମାନେ ମୃତ୍ୟୁ ପରେ ସେମାନେ ନିଜ ପିଲାମାନଙ୍କୁ ବିବାହ କରାଇବାକୁ ଚାହାଁନ୍ତି । ଏହି ଅଞ୍ଚଳରେ ବିବାହ ସମାରୋହ ଖୁବ ସମ୍ମାନିତ ଭାବେ ବିବେଚନା କରାଯାଏ । ତେଣୁ ମୃତକମାନେ ବିବାହ କାର୍ଯ୍ୟକ୍ରମର ଏକ ଅଂଶ ସାଜିଥାନ୍ତି ।
ମୃତ ସନ୍ତାନ ପାଇଁ ଖୋଜା ଯାଏ ସାଥୀ :
ମୃତ ବ୍ୟକ୍ତିଙ୍କୁ ବିବାହ କରିବା ଏକ ପରମ୍ପରାରେ ପରିଣତ ହୋଇଛି । ଯେଉଁ ପରିବାର ଅଳ୍ପ ବୟସରେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନେ ପ୍ରତ୍ୟେକ ରୀତିନୀତି ପାଳନ କରନ୍ତି, ଯାହା ମୃତ ବ୍ୟକ୍ତି ବଞ୍ଚିଥିଲେ ହୋଇଥାନ୍ତା । ତାହା ହେଉଛି ‘ପ୍ରେଥା ମଡୁୱେ’ (ଭୂତ ବିବାହ) ପ୍ରଥା । ଆତ୍ମାକୁ ଶାନ୍ତ କରିବା ପାଇଁ ସେମାନେ ମୃତକଙ୍କ ଏଭଳି ଅଜବ ବିବାହ କରନ୍ତି । ସେମାନଙ୍କର ବିଶ୍ବାସ ରହିଛି ଯେ, ଅବିବାହିତ ଆତ୍ମା ବିବାହ ପାଇଁ ବର୍ଷ ବର୍ଷ ଧରି ଘୁରି ବୁଲନ୍ତି ଏବଂ ମୃତକମାନେ ନିଜ ପରିବାରକୁ ସ୍ବପ୍ନ ମାଧ୍ୟମରେ ବାରମ୍ବାର ମନେ ପକାନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟରେ ପ୍ରକାଶ ପାଇଥିବା ଏକ ବିଜ୍ଞାପନ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ପିତାମାତାମାନେ ନିଜ ପୁଅ କିମ୍ବା ଝିଅ ପାଇଁ ଉପଯୁକ୍ତ ସାଥୀ ଖୋଜିବା ‘ମ୍ୟାଚ ମେକିଂ’ ସୁବିଧା ଖୋଜିଥିଲେ । ନିଜ ମୃତ କନ୍ୟା ସନ୍ତାନ ପାଇଁ ଦୀର୍ଘ ଦିନ ଧରି ଉପଯୁକ୍ତ ବରପାତ୍ର ଖୋଜୁଥିବା ନେଇ ବିଜ୍ଞାପନରେ ଉଲ୍ଲେଖ ରହିଥିଲା ।
‘ପ୍ରେଥା ମଡୁୱେ’ ପରମ୍ପରା:
ଭୂତ ବିବାହ ଆୟୋଜନ କରୁଥିବା ପରିବାରର କହିବା ଅନୁସାରେ, ମୃତ ସନ୍ତାନଙ୍କ ବିବାହ କରାଇବା ଅର୍ଥ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ । ଏହି ବିବାହ ପଣ୍ଡିତଙ୍କ ଦ୍ବାରା କରାଯାଏ । ଧାର୍ମିକ ଅନୁଷ୍ଠାନରେ ଅଗ୍ନି ସଂଯୋଗ କରାଯାଇ ମନ୍ତ୍ରପାଠ କରାଯାଏ । ଏଥିରେ ବର ଓ କନ୍ୟା ଭାବେ ୨ଟି ବାସନ ରଖାଯାଏ । କନ୍ୟା ଭାବେ ଥିବା ବାସନକୁ ସୁସଜ୍ଜିତ କରାଯାଇ ସେଥିରେ ସିନ୍ଦୁର ଲଗାଯାଏ । ବିଶେଷ କରି ମୃତକଙ୍କ ଭାଇ ଭଉଣୀମାନେ ଏହି ସବୁ ବିବାହର ଆୟୋଜନ କରାଇଥାନ୍ତି । ବାସନଟିକୁ ନୂଆବୋହୂ ଭାବେ ସଜାଯାଇଥାଏ । ଶାଢୀ, ଚୁଡ଼ି ଓ ମୁଦି ପିନ୍ଧାଯାଏ । ସେହିପରି ବର ବେଶରେ ଥିବା ବାସନକୁ କଳା ମୋତିରେ ସଜାଯାଇଥାଏ ।
ଖାଲି ସେତିକି ନୁହେଁ, ଏହି ବିବାହ ଉତ୍ସବ ଖୁବ ଧୁମଧାମରେ ପାଳନ ହୋଇଥାଏ । ଉପସ୍ଥିତ ଅତିଥି, ବନ୍ଧୁ ପରିଜନଙ୍କୁ କଦଳୀ ପତ୍ରରେ ସୁସ୍ବାଦୁ ଭୋଜନ ପରସାଯାଏ । ଏହି ବିବାହ ବର ଘରେ ଅନୁଷ୍ଠିତ ହେଉଥିବା ବେଳେ କନ୍ୟା ବର ଘରକୁ ଆସିଥାଏ । ଏହିପରିଭାବେ ଉଭୟ ବର ଓ କନ୍ୟା ପକ୍ଷ ପରିବାରଙ୍କ ମଧ୍ୟରେ ଏକ ସମ୍ପର୍କ ଗଢି ଉଠେ । ଯେତେବେଳେ ଜଣେ ୨୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ସେତେବେଳେ ଲୋକମାନେ ମୃତକଙ୍କୁ ବର ବୋଲି ସମ୍ବୋଦ୍ଧନ କରନ୍ତି । ଖୁବ ଜୋରରେ ଡାକିବା ସହ କାନ୍ଦିବାର ପରମ୍ପରା ରହିଛି । ସେହିଭଳି ଯୁବତୀଙ୍କ ମୃତ୍ୟୁ ହେଲେ ତାଙ୍କୁ କନ୍ୟା ବୋଲି ସମ୍ବୋଦ୍ଧନ କରାଯାଏ ।