Sunstar TV
ଗତ ୨ ଦିନ ହେବ ବାତ୍ୟା ରେମାଲ ତାଣ୍ଡବ ରଚୁଛି । ପଶ୍ଚିମବଙ୍ଗରେ ଦେଖାଇଛି ତା ପ୍ରକୋପ । ହେଲେ ସେତିକିରେ ଶାନ୍ତ ହୋଇନଥିଲା ରେମାଲ । ରେମାଲ ପୁଣି ତାଣ୍ଡବ ରଚିଥିଲା ତେଲେଙ୍ଗାନାରେ । ରବିବାର ତେଲେଙ୍ଗାନାରେ ବାତ୍ୟା ପ୍ରଭାବରେ ହଠାତ ପ୍ରବଳ ବର୍ଷା ଓ ପବନ ହୋଇଥିଲା । ତେବେ ରେମାଲର ତାଣ୍ଡବରେ ଚାଲିଯାଇଛି ଏଠାରେ ୧୩ଜଣଙ୍କ ଜୀବନ । ଅକାଳରେ ଘଟିଯାଇଛି ୧୩ ଜଣଙ୍କର ମୃତୁ୍ୟ । ସକାଳୁ ରାଜ୍ୟର ଅଧିକାଂଶ ସ୍ଥାନରେ ଖରା ହୋଇଥିବା ବେଳେ ଅପରାହ୍ନରେ ହଠାତ ପାଗରେ ପରିବର୍ତ୍ତନ ଆସିଥିଲା । ପବନର ବେଗ ବଢିବା ପରେ ଅନେକ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିବା ମଧ୍ୟ ଜଣାପଡ଼ିଛି । ବନସ୍ଥଲିପୁରମ ଗଣେଶ ମନ୍ଦିର ନିକଟ କାନାଡା ବ୍ୟାଙ୍କ ଓ ସେଠାରେ ଥିବା ଏକ କାର ଉପରେ ଗଛ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ପବନରେ ପ୍ରଭାବିତ ହୋଇଥିବା ଅନ୍ୟ ସ୍ଥାନ ଗୁଡ଼ିକ ହେଉଛି ହାୟଥନଗର, ବନସ୍ଥଲିପୁରମ, ଏଲ.ବି ନଗର, ମାଲକାଜଗିରି, ମେଡଚାଲ, ସମିରପେଟ, କିସାରା, ଘଟକେଶର, କୁକଟପଲ୍ଲୀ, ମିୟାପୁର, ସେରିଲିଙ୍ଗମପଲ୍ଲୀ, ଆଇଟି କରିଡ଼ର । ହଠାତ ଅପରାହ୍ନ ପରେ ପାଗରେ ପରିବର୍ତ୍ତନ ଯୋଗୁଁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥିବା ଦେଖିବାକୁ ମିଳିଥିଲା । ସେହିପରି ନାଗରକୁର୍ଣ୍ଣୁଲ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭ଜଣଙ୍କର ମୃତ୍ୟୁ ଘଟିଛି । ଘର ଭାଙ୍ଗିବା ଯୋଗୁଁ ବାପ ଝିଅଙ୍କ ସମେତ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବଜ୍ରପାତ ଯୋଗୁଁ ୨ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ସେହିପରି ହାଇଦ୍ରାବାଦରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଦକରେ ୨ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ଅନେକ ଜିଲ୍ଲାରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡି ପଡ଼ିଥିବା ସୂଚନା ମିଳିଛି । ଫଳରେ ଅନେକ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହକୁ ବନ୍ଦ ରଖାଯାଇଥିଲା । ନାଗରକୁର୍ଣ୍ଣୁଲରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ସୂଚନା ଥାଉ କି ରବିବାର ରାତି ପ୍ରାୟ ୯.୩୦ ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ରେମାଲ । ଏହା ପ୍ରଭାବରେ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୩୫ କିମି ରହିଥିଲା । ପ୍ରାୟ ୪ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ଏଥିରେ ହାୱଡା, ହୁଗୁଳି, ନାଡିଆ, ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାଗୁଡ଼ିକ ଅଧିକ ପ୍ରଭାବିତ ହୋଇଥିଲା ।