Sunstar TV
ରାଜଧାନୀ ଦିଲ୍ଲୀରେ ବଡ ଅଘଟଣ । ଦୁନିଆ ଦେଖିବା ଆଗରୁ ଆଖି ବୁଝି ଦେଇଛନ୍ତି ୭ଜଣ ନବଜାତ ଶିଶୁ । ଆଉ ବାକି ୪ଜଣ ଶିଶୁଙ୍କ ଜୀବନ ଏବେ ବି ଗୁରୁତର ରହିଛି । ଦିଲ୍ଲୀ ବିବେକ ବିହାରରେ ଥିବା ବେବି କେୟାର ହସ୍ପିଟାଲରେ ଘଟିଛି ଏହି ଅଘଟଣ । ଶନିବାର ବିଳମ୍ବିତ ରାତିରେ ଏହି ହସ୍ପିଟାଲରେ ହଠାତ ଲାଗିଯାଇଥିଲା ନିଆଁ । ଖବରପାଇ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ୧୧ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଶିଶୁମାନଙ୍କ ଚିକିତ୍ସା ଜାରି ରହିଛି । ତେବେ କେଉଁ କାରଣରୁ ହସ୍ପିଟାଲରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା, ଏହାପରେ ହସ୍ପିଟାଲରେ ଘଟିଥିଲା ଅଗ୍ନିକାଣ୍ଡ । ସିଲିଣ୍ଡର ବିସ୍ଫୋରଣ ହେତୁ ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ହେଁ ହସ୍ପିଟାଲ ସମ୍ପୂର୍ଣ୍ଣ ଜଳିଯାଇଛି । ହସ୍ପିଟାଲ ନିକଟରେ ଥିବା ବିଲ୍ଡିଂରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାହାକୁ ଅଗ୍ନିଶମବାହିନୀ ନିୟନ୍ତ୍ରଣକୁ ଆଣିଛି । ପ୍ରାୟ ଏକ ଘଣ୍ଟା କସରତ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଜଣାପଡିବ । ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ବିଧାୟକ ତଥା ଦିଲ୍ଲୀ ବିଧାନସଭା ବାଚସ୍ପତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।