SunstarTV
ତାତିରୁ ମିଳିବ ଶାନ୍ତି । ଅସହ୍ୟ ତାତିରେ ହନ୍ତସନ୍ତ ହେଉଛନ୍ତି ଲୋକ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇଛି।
ସୂଚନା ମୁତାବକ ୨୫ ତାରିଖ ରାତି ସୁଦ୍ଧା ଏହା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ୨୬ ତାରିଖ ମଧ୍ୟରାତିରେ ବାତ୍ୟା ‘ରେମଲ୍’ ସାଗର ଦ୍ବୀପ ଓ ଖେପୁପରା ମଝିରେ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ନ ପଡ଼ିଲେ ହେଁ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ , ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ। ସେହିପରି ୨୬ ତାରିଖ ସକାଳଠାରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।
ବାତ୍ୟା ମୁକାବିଲା ରେ ଓଡ଼ିଶା ସବୁ ବେଳେ ୧ ନମ୍ବର ତେଣୁ ଆଗରୁ ସଜାଗ ରହିବା ପାଇଁ ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ସତର୍କ ସୂଚନା ଜାରି କରିଛନ୍ତି। ମୁଖ୍ୟତଃ ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଓଡ଼ିଶାର ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଏବଂ ସଜାଗ କରାଯାଇଛି।