Sunstar TV
ଆଜି ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଲୋକସଭା ଆସନରେ ହେଉଛି ଭୋଟିଂ । ବିଭିନ୍ନ ସ୍ଥାନରେ ସକାଳୁ ବେଶ ଉତ୍ସାହର ସହ ମତଦାନ କରିଛନ୍ତି ଭୋଟର । ଏହି ପରିପ୍ରେକ୍ଷୀରେ ପୂର୍ବପରି ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି ଲୋକଙ୍କୁ ଗଣତନ୍ତ୍ରର ମହାପର୍ବରେ ବହୁମାତ୍ରାରେ ସାମିଲ ହେବା ସହ ସେମାନଙ୍କ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିବା ପାଇଁ ଅନୁରୋଧ କରିଛନ୍ତି । ଖାଲି ସେତିକି ନୁହେଁ ଟ୍ବିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ୍ ଦେଉଛନ୍ତି, ସେମାନେ ବହୁସଂଖ୍ୟାରେ ଭୋଟ୍ ଦିଅନ୍ତୁ । ପ୍ରତ୍ୟେକ ଭୋଟର ମୂଲ୍ୟ ଅଛି, ଆପଣଙ୍କର ଭୋଟ ମଧ୍ୟ ନିଶ୍ଚିତ ଯୋଡନ୍ତୁ । ଯେତେବେଳେ ଲୋକମାନେ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟତାର ସହ ଯୋଡି ହୁଅନ୍ତି, ସେତେବେଳେ ଗଣତନ୍ତ୍ର ସଫଳ ହୁଏ । ମୁଁ ବିଶେଷ ଭାବେ ମହିଳା ଭୋଟର ଏବଂ ଯୁବ ଭୋଟରଙ୍କୁ ବହୁସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରୁଛି ।” ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭୋଟରଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଆପଣଙ୍କୁ ମିଳିଥିବା ପ୍ରତିଶ୍ରୁତି ପୂରଣ କରିବା ପାରିବା ପରି ସରକାର ଗଠନ କରନ୍ତୁ । ସୂଚନାନୁସାରେ ଆଜି ସକାଳେ ବିଭିନ୍ନ ସ୍ଥାନରେ ଭୋଟିଂ ଜାରି ରହିଛି । ମୋଟ ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଲୋସକଭା ଆସନରେ ଭୋଟିଂ ହେଉଛି । ବିଭିନ୍ନ ସ୍ଥାନରେ ପ୍ରାର୍ଥୀ, ନେତା ଓ ସାଧାରଣ ଜନତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଆଜି ପର୍ଯ୍ୟାୟ ପରେ ଜୁନ ପହିଲାରେ ଅନ୍ତିମ ତଥା ୭ମ ପର୍ଯ୍ୟାୟ ଭୋଟିଂ ରହିଛି । ଏହା ପରେ ୪ ତାରିଖରେ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଏହା ସହ ୪ରାଜ୍ୟର ବିଧାନସଭା ଫଳାଫଳ ମଧ୍ୟ ସମାନ୍ତରଳ ଭାବେ ପ୍ରକାଶ ପାଇବ । ଅଷ୍ଟାଦଶ ଲୋକସଭା ପାଇଁ ଆଜି ଭୋଟ ଗ୍ରହଣ ଜାରି ରହିଛି ।