SunstarTV
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ। ପରିଷଦ କାର୍ଯ୍ୟାଳୟରେ ରବିବାର ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଶୁକ୍ରବାର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।
ଚଳିତବର୍ଷ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏକାଥରକରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ରେଜଲ୍ଟ ବାହାରିବ। ଛାତ୍ରୀଛାତ୍ର www.orissaresults.nic.in ଓ୍ବେବ୍ସାଇଟରେ ରେଜଲ୍ଟ ଦେଖିପାରିବେ।
ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା। ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।
ତେବେ ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୬୦ ହଜାର ୧୯୮ ଜଣ ରେଗୁଲାର ଏବଂ ୨୬ ହଜାର ୫୨ ଜଣ ଏକ୍ସ ରେଗୁଲାର ବର୍ଗରେ ପରୀକ୍ଷା ଦେଇଥିଲେ। ଯୁକ୍ତ ୨ କଳା ବିଭଗରେ ସର୍ବାଧିକ ୨ ଲକ୍ଷ ୩୭ ହଜାର ୭୫୦ ଜଣ ପରୀକ୍ଷାର୍ଥୀ ରହିଥିଲେ। ସେହିପରି ଯୁକ୍ତ ୨ ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ ଜଣ, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫,୭୯୧ ଜଣ ଛାତ୍ରଛାତ୍ରୀ ରହିଥିଲେ।