Sunstar TV
ଖରାର ପ୍ରକୋପ ୪୦ ଡିଗ୍ରୀ ପାର୍ କରିଲାଣି । ସକାଳ ୮ଟାରୁ ତାତି ଯାଉଛି ରାସ୍ତାଘାଟ । କିଏ ଗଛ ତଳେ ତ ଆଉ କିଏ ଆଖପାଖ ପିଣ୍ଡି ଉପରେ ବସିଥାନ୍ତି । ତେବେ ଆପଣମାନେ ଭାବୁଥିବେ ଏମାନେ କେଉଁ ଗାଡି କି କାହାକୁ ଅପେକ୍ଷା କରିଛନ୍ତି, ତା ନୁହେଁ ଏମାନେ ଅପେକ୍ଷା କରିଛନ୍ତି ପେଟର ଭୋକକୁ ମେନ୍ଟାଇବା ପାଇଁ । ଅର୍ଥାତ ନିଜ ନିଜ କାମକୁ ଅପେକ୍ଷା କରିଛନ୍ତି । କେତେବେଳେ କିଏ ମଜୁରୀ ପାଇଁ ଡାକିବ ତାକୁ ସକାଳୁ ଅପେକ୍ଷା କରିଥାନ୍ତି । କାରଣ ଏମାନେ ସମସ୍ତେ ମଜୁରୀ ଖଟିଲେ ପରିବାର ଚଳେ । ଆଉ ଦିନେ ନଖଟିଲେ ଉପବାସରେ ଦିନ କଟେ । କି ଖରା କି ବର୍ଷା କାହାକୁ ବି ନାହିଁ ଏମାନଙ୍କ ଖାତିର । ଏ ଚିତ୍ର ଦେଖିଲେ ଆପଣ ବି ହୋଇଯିବେ ତାଜୁବ । ଏହେଉଛି ଭୁବନେଶ୍ୱର ନାବାର୍ଡ ଛକର । ରାତି ପାହିଲେ ଏଠି ବସେ ମଣିଷ ହାଟ । ଗାଁ ଗଣ୍ଡାରୁ କାମ ଅନ୍ୱେଷଣରେ ଓ ପେଟ ପାଇଁ ଚାଲି ଆସିଛନ୍ତି ସହରକୁ । ତେବେ ଏ ଶ୍ରମିକଙ୍କୁ ବସିବା ପାଇଁ ଯାଗା ନଥିବାରୁ ରାସ୍ତାଘାଟରେ ବସିଥାନ୍ତି ଏମାନେ । ଯିଏ ଦେଖେ ଏ ଚିତ୍ରକୁ ତାକୁ ବ୍ୟସ୍ତ ଓ ବ୍ୟଥିତ କରିଥାଏ । ହେଲେ କାହା ପାଖରେ କିଛି ବା ସାହାର୍ଯ୍ୟ ନାହିଁ ସ୍ଥାନୀୟ ଲୋକଙ୍କ ମତ ଅନୁସାରେ ପ୍ରତିଦିନ ଶହେରୁ ଅଧିକ ଲୋକ ଏଠି ଭିଡ ଜମାନ୍ତି । ଯିଏ ଯିଏ କାମ ପାଇଲେ ସେମାନେ ନିଜ ବେଗପତ୍ର ଧରି ଯାଆନ୍ତି । ନହେଲେ ଅପରାହ୍ନ ଯାଏଁ ଅପେକ୍ଷା କରି କରି ପୁଣି ଘରକୁ ଫେରି ଯାଆନ୍ତି । କିନ୍ତୁ ପେଟ ପାଇଁ ରାସ୍ତାକଡରେ ଏମାନେ ପ୍ରତିିଦିନ ଛିଡା ହୋଇ ରହିଥାନ୍ତି । କେବେ ତୁଟିବ ଏମାନଙ୍କ କଷ୍ଟ ତାହା ସମୟ କହିବ ।