Sunstar TV
ଧୂଳିସାତ ହେଲା ରାଜସ୍ଥାନର ଫାଇନାଲ ଆଶା । ଆଇପିଏଲର କ୍ବାଲିଫାୟର ୨ରେ ରାଜସ୍ଥାନକୁ ହରାଇ ଫାଇନାଲରେ ପହଞ୍ଚିଛି ସନରାଇଜର୍ସ ହାଇଦ୍ରାବାଦ । ଆସନ୍ତା ୨୬ ତାରିଖରେ ଫାଇନାଲ ମ୍ୟାଚରେ କୋଲକାତାକୁ ଭେଟିବ ଏସଆରଏଚ୍ । କ୍ବାଲିଫାୟର ୨ରେ ୩୬ ରନ୍ ରେ ସାମସନ ବାହିନୀକୁ ପରାସ୍ତ କରିଛି କମିନ୍ସ ବାହିନୀ । ହେନେରିଚ କ୍ଲାସେନଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ସେହେବାଜ ଅହମ୍ମଦଙ୍କ ଘାତକ ବୋଲିଂରେ ବିଜୟୀ ହୋଇଛି ଦଳ । ପ୍ଲେ ଅଫର ପ୍ରଥମ କ୍ବାଲିଫାୟର ମ୍ୟାଚରେ କେକେଆର-ଏସଆରଏଚ୍ ହୋଇଥିଲେ ମୁହାଁମୁହିଁ । ପୁଣି ଦୁଇ ଦଳ ଫାଇନାଲରେ ଭେଟା ଭେଟି ହେବେ । ତୃତୀୟ ଥର ପାଇଁ ଏସଆରଏଚ୍ ଫାଇନାଲ ଖେଳିବାକୁ ଯାଉଛି । ୨୦୧୬ରେ ଟ୍ରଫି ହାତେଇଥିଲା ହାଇଦ୍ରାବାଦ । ଶୁକ୍ରବାର ଚେପକ ଷ୍ଟାଡିୟମରେ କ୍ବାଲିଫାୟର ୨ ମୁକାବିଲା ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା । ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୭୫ ରନ୍ କରିଥିଲା କମିନ୍ସ ବାହିନୀ । ଟ୍ରାଭିସ ହେଡ ୩୪, ରାହୁଲ ୩୭ ଓ କ୍ଲାସେନ ସର୍ବାଧିକ ୫୦ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ଅଭେଷ ଖାନ ୩, ଟ୍ରେଣ୍ଟ ୩ ଓ ସନ୍ଦିପ ଶର୍ମା ୨ଟି ଓ୍ବିକେଟ ନେଇଥିଲେ । ୧୭୬ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । କିନ୍ତୁ ଧିମା ବ୍ୟାଟିଂ ଯୋଗୁଁ ଦଳ ପରାଜିତର ଶିକାର ହୋଇଥିଲା ।