SunstarTV
ଆଜି ସରୁଛି ପ୍ରଚାର । ରାଜ୍ୟରେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ସରୁଛି । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା । ହେଭିୱେଟଙ୍କ ପ୍ରଚାରରେ ଜମୁଛି ନିର୍ବାଚନୀ ମାହୋଲ୍ । ଆଜି ଓଡ଼ିଶା ଆସୁଛନ୍ତି ବିଜେପିର ୩ ଜଣ ହେଭିୱେଟ ନେତା । ରାଜ୍ୟର ବିଭିନ୍ନ ସ୍ଥାନରେ ହାଇ ଭୋଲ୍ଟେଜ ପ୍ରଚାର କରିବା ପାଇଁ ଆଜି ଓଡିଶା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।
ମିଳିଥିବା ସୂଚନାଅନୁସାରେ ଯୋଗୀ ଆଦିତ୍ୟନାଥ ଆଜି ମାହାଙ୍ଗାରେ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ପ୍ରାର୍ଥୀ ସୁମନ୍ତ ଘଡ଼ାଇଙ୍କ ପାଇଁ ସେ ଆଜି ଭୋଟ ଭିକ୍ଷା କରିବେ । ଏହା ପରେ ସେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।
ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହେବେ। ଏହାସହିତ ୭ଟି ବିଧାନସଭା ଆସନ ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର ଏବଂ ମହାକାଳପଡ଼ାର ବିଧାୟକ ପ୍ରାର୍ଥୀ ମାନେ ବି ଉପସ୍ଥିତ ରହିବେ।
ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରଂଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଧ୍ୟ ସମ୍ବଲପୁର, ଦେବଗଡ଼, ଚମ୍ପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ ।
ସୂଚନା ମୁତାବକ ଆସନ୍ତା ୨୫ ତାରିଖରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ଭୋଟ ହେବାକୁ ଯାଉଛି।