Sunstar Tv
RBI: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୨୦୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୨.୧୧ ଲକ୍ଷ କୋଟି ଟଙ୍କାର ଡିଭିଡେଣ୍ଡ ଅନୁମୋଦନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୧୪୦% ବୃଦ୍ଧି ଘଟିଛି ।
ଆର୍ଥିକ ବର୍ଷ ୨୩ ରେ, ଆରବିଆଇ ଅତିରିକ୍ତ ଭାବରେ କେନ୍ଦ୍ରକୁ ୮୭,୪୧୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ।
ମୁମ୍ବାଇରେ ଅନୁଷ୍ଠିତ କେନ୍ଦ୍ରୀୟ ବୋର୍ଡର ୬୦୮ ତମ ବୈଠକରେ ବୋର୍ଡ ବିଶ୍ୱ ତଥା ଘରୋଇ ଅର୍ଥନୈତିକ ପରିସ୍ଥିତି ଉପରେ ଆଲୋକପାତ କରିଥିଲା, ଯେଉଁଥିରେ ସମ୍ଭାବ୍ୟ ବିପଦ ମଧ୍ୟ ରହିଛି । ଏଥିସହିତ ବୋର୍ଡ ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କା ବଳକା ରଶି ପ୍ରଦାନ କରିବାକୁ ନିଷ୍ପତି ନେଇଛି ।
ବୋର୍ଡ; ୨୦୨୩-୨୪ ଆକାଉଣ୍ଟିଂ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ୨,୧୦,୮୭୪ କୋଟି ଟଙ୍କାର ଅତିରିକ୍ତ ଅର୍ଥ ହସ୍ତାନ୍ତରକୁ ମଞ୍ଜୁରି ପ୍ରଦାନ କରିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ବା ବ୍ୟୟ ଓ ରାଜସ୍ୱ ମଧ୍ୟରେ ବ୍ୟବଧାନକୁ ୧୭.୩୪ ଲକ୍ଷ କୋଟି ଟଙ୍କା (ଜିଡିପିର ୫.୧ ପ୍ରତିଶତ)କୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
୨୦୨୪-୨୫ ବଜେଟରେ ରିଜର୍ଭ ବ୍ୟାଙ୍କ ଏବଂ ରାଷ୍ଟ୍ରାୟତ୍ତ ଆର୍ôଥକ ଅନୁଷ୍ଠାନରୁ ୧.୦୨ ଲକ୍ଷ କୋଟି ଟଙ୍କାର ଲାଭାଂଶ ଆୟ ହେବ ବୋଲି ସରକାର ଆକଳନ କରିଛନ୍ତି । ଆରବିଆଇ ବୋର୍ଡ ମଧ୍ୟ ଅଭିବୃଦ୍ଧି ଦୃଷ୍ଟିକୋଣ ପ୍ରତି ବିପଦ ସମେତ ବିଶ୍ୱ ଏବଂ ଘରୋଇ ଅର୍ଥନୈତିକ ସ୍ଥିତିର ସମୀକ୍ଷା କରିଛି ।
ଆରବିଆଇର ଏପରି ପଦକ୍ଷେପ କେନ୍ଦ୍ର ସରକାରଙ୍କ ବଜେଟକୁ ସଜାଡ଼ିବାରେ ସହାୟକ ହେବ । ବୀତ୍ତିୟ ନିଅଣ୍ଟରେ ସୁଧାର ଆସି ପାରିବ ।