SunstarTV
ନିକଟରେ ପୁଣେରେ ଘଟିଥିବା ଦୁର୍ଘଟଣା ମାମଲା ଏବେ ଚର୍ଚ୍ଚାରେ ରହିଛି। ଘଟଣାଟିରେ ଜଣେ ନାବାଳକ କାର୍ ଚଳାଇବା ସମୟରେ ୨ ଜଣଙ୍କୁ ଧକ୍କା କରିଦେଇଥିଲା । ଆଉ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । କାର୍ ଚଳାଉଥିବା ନାବାଳକଙ୍କ ବୟସ ୧୭ ବର୍ଷ ହୋଇଥିବା ବେଳେ ଏହି ମାମଲାରେ ଏବେ ତାଙ୍କ ପିତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କ ପିତାଙ୍କୁ ଗିରଫ କରାଯାଇଛି । ଖାସ୍ କଥା ହେଉଛି କି ୧ ଜୁନ ୨୦୨୪ରୁ ନୂଆ ଆରଟିଓ ନିୟମ ଲାଗୁ କରାଯାଉଛି । ନୂଆ ନିୟମରେ କଣ ପରିବର୍ତ୍ତନ ହେବ ଆସନ୍ତୁ ଜାଣିବା… ।
୧ ଜୁନ୍ ୨୦୨୪ରୁ ରିଜନାଲ ଟ୍ରାନ୍ସପୋର୍ଟ ଅଫିସ(ଆରଟିଓ) ନୂଆ ନିୟମ ଜାରି କରିବାକୁ ଯାଉଛି। ନୂଆ ନିୟମ ଅନୁସାରେ ଏବେ ଯଦି କୌଣସି ନାବାଳକ ଗାଡି ଚଳାଇବା ସମୟରେ ଧରାପଡେ ତେବେ ପିତା ବା ତାଙ୍କ ପରିଜନଙ୍କୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କରାଯାଇପାରେ ।
କେବଳ ଏତିକି ନୁହେଁ, ୨୫ ହଜାର ଟଙ୍କା ଚାଲାଣ ସହିତ ପିତାଙ୍କୁ ଜେଲ୍ ମଧ୍ୟ ହୋଇପାରେ । ଯଦି ନାବାଳକ ଗାଡି ଚଳାଇବା ସମୟରେ ଧରାପଡେ ତେବେ ଜରିମାନା ଲାଗିବ କିନ୍ତୁ ଯଦି ନାବାଳକ ଦୁର୍ଘଟଣା ଘଟାଏ ତେବେ ପିତାଙ୍କୁ ଜେଲ୍ ହୋଇପାରେ କିମ୍ବା ୨ଟି ଯାକ ମଧ୍ୟ ହୋଇପାରେ ।
ନୂତନ ନିୟମ ଅନୁଯାୟୀ, ସରକାରୀ ଆରଟିଓ ବଦଳରେ ଘରୋଇ କେନ୍ଦ୍ରରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ପରୀକ୍ଷା କରାଯିବ। ଏହି ବେସରକାରୀ ସଂସ୍ଥାଗୁଡ଼ିକୁ ପରୀକ୍ଷା ପରିଚାଳନା ଏବଂ ଲାଇସେନ୍ସ ଯୋଗ୍ୟତା ପାଇଁ ପ୍ରମାଣପତ୍ର ପ୍ରଦାନ ପାଇଁ ସ୍ୱୀକୃତି ଦିଆଯିବ।
ଏହା ସହିତ ମନ୍ତ୍ରଣାଳୟ ଏକ ନୂତନ ଲାଇସେନ୍ସ ପାଇବା ପାଇଁ ଡକ୍ୟୁମେଣ୍ଟଗୁଡ଼ିକୁ ମଧ୍ୟ ସରଳୀକୃତ କରିଛି । ଡ୍ରାଇଭିଂ ଲାଇସେନ୍ସ ସାର୍ଟିଫିକେଟ୍ ପ୍ରଦାନ ପାଇଁ ସ୍ୱୀକୃତି ପାଇବାକୁ ଘରୋଇ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରଗୁଡିକରେ ଦୁଇ ଚକିଆ ଯାନ ପାଇଁ ଅତି କମରେ ୧ ଏକର ଏବଂ ଚାରି ଚକିଆ ଯାନ ପାଇଁ ୨ ଏକର ଜମି ରହିବା ଆବଶ୍ୟକ। ଏହିପରି ପରୀକ୍ଷା ଅନୁଷ୍ଠାନଗୁଡିକ ଭଲ ପରୀକ୍ଷା ସୁବିଧା ଯୋଗାଇବା ବାଧ୍ୟତାମୂଳକ ହେବ ।