Sunstar TV
ଡେରାଡୁନ : ତୀର୍ଥଯାତ୍ରା ସାଜିଛି ଅନ୍ତିମ ଯାତ୍ରା । ଗରମରେ ଉଚ୍ଚ ପର୍ବତ ଚଢିବା ଚାରିଧାମ ତୀର୍ଥଯାତ୍ରୀଙ୍କ ପାଇଁ ସାଜିଛି କାଳ । ଚଳିତ ବର୍ଷ ଚାରି ଧାମ ତୀର୍ଥଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଏଯାବତ ୪୯ଜଣଙ୍କ ମୃତ୍ୟୁ ଘଟିଲାଣି । ଗତ ୧୨ ଦିନ ମଧ୍ୟରେ ଏହି ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଧିରେ ଧିରେ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ଜରୁରୀକାଳୀନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ବଦ୍ରିନାଥ ଧାମରେ ଆଜି ସକାଳ ୧୧ଟା ପର୍ୟ୍ୟନ୍ତ ଆଉ ୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ସେପଟେ କେଦାରନାଥ ଓ ଗଙ୍ଗୋତ୍ରିରେ ଯଥାକ୍ରମେ ୪ଜଣ ଓ ଜଣେ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହାସହ ଗତକାଲି ରାତି ୧୦ଟା ସୁଦ୍ଧା ଆଉ ୭ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଯାବତ ଚାରି ଧାମ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୪୯ରେ ପହଞ୍ଚିଛି । ଏହି ମୃତକଙ୍କ ମଧ୍ୟରେ ହୃଦରୋଗୀ ଓ ଅନ୍ୟ ରୋଗରେ ପୀଡ଼ିତ ସାମିଲ ଅଛନ୍ତି । ଉତ୍ତରାଖଣ୍ଡରେ ଗତବର୍ଷ ୨୦୨୩ରେ ଚାରିଧାମ ଯାତ୍ରା ସମୟରେ ୨୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଚଳିତ ବର୍ଷ ମଧ୍ୟ ମୃତ୍ୟୁ ଜାରି ରହିଥିବା ବେଳେ ୧୨ ଦିନରେ ୪୯ଜଣଙ୍କ ପ୍ରାଣହାନି ଘଟିଲାଣି । ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦାବି କରାଯାଇଛି ଯେ ଚାରିଧାମ ଯାତ୍ରା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇ ସେମାନଙ୍କୁ ପଠାଯାଉଛି । ଏହାସତ୍ତ୍ବେ ଶ୍ରଦ୍ଧାଳୁଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ସଫେଇ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ମୃତ୍ୟୁ ଘଟିଥିବା ତୀର୍ଥଯାତ୍ରୀଙ୍କ ପୂର୍ବରୁ ହୃଦରୋଗ କିମ୍ବା ଅନ୍ୟ କୌଣସି ବଡ ରୋଗରେ ପୀଡ଼ିତ ଅଛନ୍ତି । ଏଭଳି ଶ୍ରଦ୍ଧାଳୁ ଚାରିଧାମ ଯାତ୍ରାକୁ ଆସିବା ପୂର୍ବରୁ ନିଜର ଫିଟନେସ ଯାଞ୍ଚ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ୍ କରାଯାଇଛି ।