Sunstar TV
ବେଙ୍ଗାଲୁରୁ : ଏକା ସାଙ୍ଗରେ ଚାଲିଗଲା ୪ ଜୀବନ । ଗୋଟିଏ ପରିବାରରୁ ଟଳିଛି ୪ ପ୍ରାଣ । ତେବେ ଗୋଟିଏ ପରିବାରରୁ ସମାନ ଦିନରେ ମୃତୁ୍ୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ମୃତୁ୍ୟ ଏକ ସନେ୍ଦହଜନକ ବୋଲି ଜଣାପଡିଛି । ଖବର ଅନୁସାରେ ଆଜି (ବୁଧବାର) ସକାଳୁ ଏଭଳି ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି । ୟାରାଗହ୍ନାଲିରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ପତି ପତ୍ନି ହେଲେ କୁମାରସ୍ବାମୀ (୪୫), ମଞ୍ଜୁଳା (୩୯) । ସେମାନଙ୍କର ଦୁଇ ଝିଅ ଅର୍ଚ୍ଚନା ଓ ସ୍ବାତୀ ମଧ୍ୟ ପ୍ରାଣ ହରାଇଛନ୍ତି । ବଡ଼ ଝିଅ ଅର୍ଚ୍ଚନାର ବୟସ ୧୯ ବର୍ଷ ହୋଇଥିବାବେଳେ ସ୍ବାତୀକୁ ୧୭ ବର୍ଷ ବୟସ ହୋଇଥିବା ଜଣାପଡ଼ିଛି । ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗ୍ୟାସ ସିଲିଣ୍ଡର ଲିକ୍ ଯୋଗୁ ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁସାରେ, କୁମାରସ୍ବାମୀ ଲଣ୍ଡ୍ରି ଦୋକାନରେ କାମ କରୁଥିଲେ । ସେ ନିଜ ପରିବାର ସହ ୟାରାଗହ୍ନାଲିରେ ରହୁଥିଲେ । କୌଣସି କାରଣ ବଶତଃ ସିଲିଣ୍ଡର ଲିକ୍ ଯୋଗୁ ଶ୍ବାସରୁଦ୍ଧ ହୋଇ ପରିବାରର ସମସ୍ତଙ୍କ ଜୀବନ ଯାଇଥିବା ନେଇ ସନ୍ଦେହ କରାଯାଉଛି । ସିଟି ପୋଲିସ କମିଶନର ରମେଶ ବାନୋଥଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସୂଚନା ଅନୁସାରେ, ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । କିଭଳି ଓ କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଛି ସେନେଇ ଛାନଭିନ କରିଛି ପୋଲିସ । ଏହାସହ ମହୀଶୂର ମେଡିକାଲ କଲେଜ ଓ ହସ୍ପିଟାଲକୁ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କୁହାଯାଉଛି । ଏହାସହ ମହୀସୁର ସିଟି ପୋଲିସ କମିଶନର ଓ ନଜାରବାଦ ପୋଲିସ ଘଟଣାସ୍ଥଳରେ ଛାନଭିନ କରିଛନ୍ତି । ପୋଲିସ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଆରମ୍ଭ ହୋଇଛି ।