SUNSTARTV
ନୂଆପଡ଼ା: ସେ ଜନ୍ମରୁ ଦୃଷ୍ଟିହୀନ , କିନ୍ତୁ ଘୁଡୁକା ବାଦ୍ୟରେ ପ୍ରବୀଣ । ତାଙ୍କ କଣ୍ଠସ୍ୱରରେ ଭରି ରହିଛି ମାଦକତା । ଯିଏ ତାଙ୍କ ଗୀତ ଶୁଣୁଛି ଘଡିଏ ଅଟକି ରହିଯାଉଛି । କିନ୍ତୁ ଦୁଃଖର ବିଷୟ ତାଙ୍କୁ ମିଳିପାରୁନି ସରକାରୀ ପ୍ରୋତ୍ସାହନ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ଢ଼ଙ୍କସର ଗ୍ରାମର ଦିବ୍ୟାଙ୍ଗ ବ୍ୟକ୍ତି ଅର୍ଜ୍ଜୁନ ତାଣ୍ଡି । ଯେତେବେଳେ ସେ ଜନ୍ମ ହେଲେ ବାପା ମା ଖୁସିରେ ଫାଟି ପଡିଲେ । ପୁଅ ପାଇଛନ୍ତି ବୋଲି ତାଙ୍କ ଖୁସି କହିଲେ ନସରେ । କିନ୍ତୁ ତାଙ୍କର ଏ ଖୁସି ବେଶି ଦିନ ରହିଲା ନାହିଁ । ଅର୍ଜ୍ଜୁନ ଯେତେବେଳେ ୬ମାସର ହୋଇଥିଲେ ସେ ବସନ୍ତ ରୋଗରେ ପିଡିତ ହେଲେ । ଯାହାଫଳରେ ସେ ସବୁଦିନ ପାଇଁ ତାଙ୍କ ଦୃଷ୍ଟି ଶକ୍ତି ହରାଇ ବସିଲେ । ଅର୍ଥ ଅଭାବରୁ ତାଙ୍କର ଆଖି ଚିକିତ୍ସା ହେଇପାରିଲା ନାହିଁ । ଭଗବାନ ସିନା ଅର୍ଜ୍ଜୁନଙ୍କ ଦୃଷ୍ଟିଶକ୍ତି ଛଡେଇ ନେଲେ କିନ୍ତୁ ତାଙ୍କୁ ଆଉ ଏକ ସୁନ୍ଦର କଳାଟେ ଦେଇଦେଲେ । ତାହା ହେଉଛି ଘୁଡୁକା ବା ଘୁଡୁକି ବଜାଇବା ।
ଅର୍ଜ୍ଜୁନ ମାତ୍ର ୧୦ ବର୍ଷ ବୟସରୁ ହିଁ ଏହି ବାଦ୍ୟ କଳା ଶିଖିଲେ ଏବଂ ସେଥିରେ ପାରଦର୍ଶିତା ହାସଲ କଲେ । ସେ ଘୁଡୁକା ବଜାଇ ଗୀତ ଗାଇ ତାଙ୍କ ଜିବିକା ନିର୍ଭାହ କରିବା ସହ ରୋଜଗାର କ୍ଷମ ମଧ୍ୟ ହୋଇଥିଲେ । ତାଙ୍କର ସୁ-ମଧୁର କଣ୍ଠସ୍ୱର ଏବଂ ଘୁଡୁକା ବାଦନ ଲୋକଙ୍କ ଦୃଦୟ ଜିଣିଲା । ଏଥିସହିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଲେ । ଏହାପରେ ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ରରେ ଗୀତ ଗାଇ ଘରେ ଘରେ ଲୋକପ୍ରିୟତା ହାସଲ କଲେ ଅର୍ଜ୍ଜୁନ । କିନ୍ତୁ ସବୁ ପରେ ବି ତାଙ୍କୁ ମିଳୁପାରୁନି ସରକାରୀ ସହାୟତା । ରାଜ୍ୟସରକାରଙ୍କ ତରଫରୁ ତାଙ୍କୁ କଳାକାର ଭତ୍ତା ମିଳୁଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ କଳାକାର ଭତ୍ତା ପାଉଥିଲେ । କିନ୍ତୁ ୨୦୨୨ ପରଠାରୁ ତାଙ୍କର କେନ୍ଦ୍ରୀୟ କଳାକାର ଭତ୍ତା ବନ୍ଦ ହୋଇଯାଇଥିବା ସେ କହିଛନ୍ତି । ଏଥିସହିତ ସେ ଏକ କଥା ମଧ୍ୟ କହିଛନ୍ତି ଯେ ଯଦି ବିଭିନ୍ନ ସରକାରୀ ଯୋଜନାରେ ସେ ସାମିଲ ହୋଇ ପାରନ୍ତେ ଦୁଇପଇସା ରୋଜଗାର କରି ପରିବାର ଚଳାଇ ପାରନ୍ତେ ।
ଚାରିପ୍ରାଣି କୁଟୁମ୍ବକୁ ନେଇ ଅର୍ଜ୍ଜୁନଙ୍କ ପରିବାର । ସ୍ତ୍ରୀ ଘରମଣି ,ଝିଅ ଅନିତା, ଏବଂ ପୁଣ ବେଣୁଧର । ପୁଅ ଝିଅ ପାଠ ପଢୁଥିବା ବେଳେ ସ୍ତ୍ରୀ ପରଘରେ ମୁଲ ଲାଗୁଛି । ଅର୍ଜ୍ଜୁନଙ୍କୁ ସରକାରଙ୍କ ତରଫରୁ ଆବାସ ଯୋଜନା ମଧ୍ୟ ମିଳିନାହିଁ । ଫଳରେ ଭଙ୍ଗା କୁଡିଆରେ ବିତୁଛି ଜୀବନ । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ତାଙ୍କୁ ଅନ୍ତ୍ୟୋଦୟ କାର୍ଡ ମିଳିବା କଥା କିନ୍ତୁ ସେତିକି ବି ମିଳିନାହିଁ । ଅର୍ଜ୍ଜୁନଙ୍କୁ ପି.ଏଚ.ଏଚ ରେ ମାତ୍ର କୋଡିଏ କିଲୋ ଚାଉଳ ମିଳୁଛି । ଯେଉଁଥିରେ ଚଳୁଛନ୍ତି ୪ପ୍ରାଣି । ଅନ୍ୟପକ୍ଷେ ଅର୍ଜ୍ଜୁନଙ୍କ ଦେହ ମଧ୍ୟ ଆଉ ଭଲ ହେଉ ନାହିଁ । ଫଳରେ ସ୍ତ୍ରୀ ଘରମଣୀ ପରଘରେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଅର୍ଜ୍ଜୁନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଏନେଇ ଖଡିଆଳ ବିଡିଓ ବୀରସେନ ବେହେରାଙ୍କ ଦୃଷ୍ଟି ଆକର୍ଷମ ମଧ୍ୟ କରିଛନ୍ତି । ଫଳରେ ନିୟମ ଅନୁସାରେ ଅର୍ଜ୍ଜୁନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡିଓ । ତେବେ ଦିବ୍ୟାଙ୍ଗ କଳାକାର ଅର୍ଜ୍ଜୁନଙ୍କ ଉପରେ କେବେ ପ୍ରଶାସନର ଦୃଷ୍ଟି ପଡିବ ଆଉ ତାଙ୍କ ଦୁଃଖ ଦୂର ହେବ ତାହା ହିଁ ଦେଖିବାକୁ ବାକି ରହିଲା ।