SunstarTV
ଆରମ୍ଭ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ରାଜ୍ୟର ୫ ଲୋକସଭା ସହ ୩୫ ବିଧାନସଭା ଆସନରେ ଆଜି ପଡ଼ିବ ଭୋଟ୍ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ।
ଚଳିତ ଥର ମଇଦାନରେ ୩୦୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର ୮୮୭ ଭୋଟର ଅଛନ୍ତି । ମୋଟ ୯ ହଜାର ୧୬୨ଟି ବୁଥ ଥିବା ବେଳେ ୧ ହଜାର ୪୧ ବୁଥକୁ ମହିଳା ପୋଲିଂ କର୍ମଚାରୀ ଓ ୨୫ଟି ବୁଥକୁ ପିଡବ୍ଲୁଡି କର୍ମଚାରୀ ପରିଚାଳନା କରୁଛନ୍ତି । ୧୫୪୧ ଆଦର୍ଶ ବୁଥ କରାଯାଇଥିବା ବେଳେ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି । କନ୍ଧମାଳରେ ୨୨, ଗଞ୍ଜାମରେ ୨୦, ସୁନ୍ଦରଗଡ଼ରେ ୧୬, ବଲାଙ୍ଗୀରରେ ୧୪, ବରଗଡ଼ରେ ୧୪, ଝାରସୁଗୁଡ଼ାରେ ୫ ଓ ବୌଦ୍ଧରେ ୫ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି।
ପୂର୍ବ ରେକର୍ଡ ଅନୁସାରେ ମୋଟ ୩୫ ବିଧାନସଭା ଆସନରୁ ବିଜେଡି ଏକାକି ୨୬ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ଓ ବିଜେପି ୪ଟି ଲେଖାଏଁ ଆସନରେ ବିଜୟୀ ହୋଇଥିଲା । ସେହିପରି ୫ ଲୋକସଭା ଆସନରୁ ବିଜେପି ୩ଟି ଆସନ ଜିଣିଥିବା ବେଳେ ବିଜେଡି ୨ଟି ଆସନରେ ବିଜୟୀ ହୋଇଥିଲା । ଚଳିତ ଥର ସ୍ଥିତିରେ କଣ ପରିବର୍ତ୍ତନ ହେବ ତାହା ଦେଖିବା ବାକି ରହିଲା ।