SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ୧୨୦ କିମି ବେଗରେ ବହିପାରେ ପବନ । ହୋଇପାରେ ତୁହାକୁ ତୁହା ବର୍ଷା । ତୃତୀୟ ପର୍ଯ୍ୟାୟ ଭୋଟ ଦିନ ଓଡିଶାରେ ହୋଇପାରେ ବାତ୍ୟା ମାଡ । ଯାହାକୁ ନେଇ ଅଙ୍କା ହେଲାଣି ଏକାଧିକ ପାଣିପାଗ ମଡେଲ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆଜି କିମ୍ବା ଆସନ୍ତା କାଲି ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ୨୫ ତାରିଖ ସନ୍ଧ୍ୟା ୮ ଟା କିମ୍ବା ୯ ଟା ବେଳେ ପାରାଦୀପରୁ ବାଲେଶ୍ୱର ମଧ୍ୟରେ ସ୍ଥଳ ଭାଗରେ କରିପାରେ ପ୍ରବେଶ । ଫଳରେ ଏହି ଖବର ପରେ ଓଡିଶାରେ ବଢିଛି ବାତ୍ୟା ଭୟ ।
ଅପର ପକ୍ଷେ ମେ ୨୫ ରେ ଓଡିଶାରେ ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ କେନ୍ଦୁଝର ଏବଂ ସମ୍ବଲପୁର ଲୋକ ସଭା ସହ ୪୨ଟି ବିଧାନସଭାରେ ହେବ ମତଦାନ । କିନ୍ତୁ ସେହି ଦିନ ହିଁ ଓଡିଶାକୁ ଅଛି ବାତ୍ୟା ଭୟ । କିନ୍ତୁ ଏହି ବାତ୍ୟା ଓଡିଶାକୁ ହେବ ନା ଆନ୍ଧ୍ରକୁ ଯିବ ଏନେଇ କୌଣସି ପୂର୍ବାନୁମାନ କରିନାହିଁ ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ପରେ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଯଦି ୨୫ ତାରିଖ ଆଡକୁ ବାତ୍ୟା ହୁଏ ତାହାଲେ ଏହା ନୁର୍ବାଚନ ଉପରେ ନିଶ୍ଚିତ ପ୍ରଭାବ ପକାଇବ ।
ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ, ଉପକୂଳ ଓଡ଼ିଶାରେ ବର୍ଷା ସହ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଓଡ଼ିଶାରେ ମେ’ ମାସରେ ଅନେକ ଥର ବାତ୍ୟା ହୋଇଛି । ଗତ ନିର୍ବାଚନ ଅର୍ଥାତ ୨୦୧୯ ମେ’ ମାସରେ ବାତ୍ୟା ‘ଫନି’ର ତାଣ୍ଡବ ଦେଖିଛନ୍ତି ଓଡ଼ିଶାବାସୀ । ପୁଣିଥରେ ଏହି ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଥିବାରୁ ଉପକୂଳ ଓଡ଼ିଶାରେ ବାତ୍ୟା ଆଶଙ୍କା ଘନଉଛି । ଅନ୍ତର୍ଜାତୀୟ ମଡେଲ ମଧ୍ୟ ବଙ୍ଗୋପସାଗରରେ ବାତ୍ୟା ଆସିପାରେ ବୋଲି ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗୁଆ ଆଣ୍ଡାମାନ ଉପକୂଳ ଛୁଇଁଛି । ଜୁନ ୧ ତାରିଖରେ କେରଳ ଉପକୂଳ ଦେଇ ଗତି କରିପାରେ ମୌସୁମୀ । ଆଉ ଜୁନ ୧୫ ବେଳକୁ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ ।