SunstarTV
ମେଡିକୋ-ଲିଗାଲ୍ କେସ୍ ରିପୋର୍ଟ ଅନୁସାରେ ଆପ୍ ସାଂସଦ ସ୍ବାତୀ ମାଲୱାଲିଙ୍କ ମୁହଁରେ ଆଭ୍ୟନ୍ତରୀଣ ଆଘାତ ଲାଗିଥିବା ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସ୍ବାତୀ । ଏହାପରେ ଦିଲ୍ଲୀ ଏମ୍ସରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା।
ଆଜି ଦିଲ୍ଲୀ ଏମ୍ସରେ ସ୍ବାତୀ ମାଲୱାଲିଙ୍କର ପ୍ରାୟ ତିନି ଘଣ୍ଟା ଧରି ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ମୁହଁରେ ଆଘାତ ଲାଗିଥିବା ଜଣାପଡିଛି।
ସୂଚନା ମୁତାବକ, ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମାଲୱାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାର ୪ ଦିନ ପରେ ସେ ଏନେଇ ଦିଲ୍ଲୀ ପୁଲିସରେ ଅଭିଯୋଗ କରିଛନ୍ତି।
ଅଭିଯୋଗପତ୍ରରେ ସ୍ବାତୀ ଉଲ୍ଲେଖ କରିଛନ୍ତି ଯେ, ଗତ ସୋମବାର ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ଡ୍ରଇଂ ରୁମରେ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ବୈଭବ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେ ବାରମ୍ବାର ଚାପୁଡ଼ା, ମାରିଥିବା, ଛାତିକୁ ମାଡ ମାରିବା ମଧ୍ୟ ସ୍ବାତୀ ଅଭିଯୋଗ କରିଛନ୍ତି।
ତେବେ ଏହି ମାମଲାରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ମେ ୧୩ ର ଅଟେ ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତର ଦୃଶ୍ୟ ବୋଲି କୁହାଯାଉଛି।