SUNSTARTV
ସନଷ୍ଟାରଟିଭି ବ୍ୟୁରୋ:ଓଡିଶା ଆସିବେ ବଲିଉଡର ଡ୍ରିମଗାର୍ଲ ହେମା ମାଳିନୀ । ଆସନ୍ତା ୧୭ ତାରିଖରେ ସେ ଓଡିଶା ଆସିବା ନେଇ ସୂଚନା ରହିଛି । ଏହି ଗସ୍ତ ଅବସରରେ ବଲିଉଡ୍ କୁଇନ୍ ହେମା ରାଜ୍ୟର ୩ ଟି ସ୍ଥାନରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ।
ମିଳିଥିବା ସୂଚନା ଅନୁଯାୟୀ, ମେ ୧୭ ତାରିଖରେ ବିଜେପି ନେତ୍ରୀ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ଅବସରରେ ଫୋକସରେ ରହିଛି ଓଡିଶାର ତିନୋଟି ସ୍ଥାନ । ହେମା ଉତ୍ତର ଭୁବନେଶ୍ୱର, କିଶନ ନଗର , ଏବଂ ପିପିଲିରେ ହେବାକୁ ଥିବା ସଭାରେ ଯୋଗ ଦେବେ । ଏଥିସହିତ ଧଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ବୋଲି ସୂଚନା ରହିଛି ।
ଚଳିତ ନିର୍ବାଚନକୁ ନେଇ ଓଡିଶା ରାଜନୀତି ଫୋକସରେ ରହିଛି । ନେତାମାନଙ୍କ ଦଳ ବଦଳ ଠାରୁ ଆରମ୍ଭ କରି ବଡ ବଡ ନେତାଙ୍କ ପ୍ରଚାର ରାଜନୀତିର ପାଣିପାଗକୁ ଅଧିକ ଉଷ୍ମ କରୁଛି । ତେବେ ନିର୍ବାଚନର ଶେଷ ସମୟରେ ଘନ ଘନ ଓଡିଶା ଗସ୍ତ କରୁଛନ୍ତି ବଡ ବଡ ନେତା । ଫଳରେ ରାଜ୍ୟ ରାଜନୀତିରେ ସୃଷ୍ଟି ହେଉଛି କମ୍ପନ । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଦୁଇ ଦୁଇ ଥର ଓଡିଶା ଗସ୍ତ କରିଥିବା ବେଳେ କାଲି ଓଡିଶା ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହିପରି ଆଜି ମଧ୍ୟ ଜେପି ନଡ୍ଡା ଭୁବନେଶ୍ୱରରେ ରୋଡ ସୋ କରିଛନ୍ତି । ତେବେ ଓଡିଶାରେ ବିଜେପି ହାରିବାର ଭୟ ଥିବାରୁ ବାରମ୍ଭାର ବିଜେପି ନେତା ଓଡିଶା ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।