SunstarTV
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡମ୍ବୁରୁଧର ଉଲାକାଙ୍କ ପରଲୋକ ଘଟିଛି। ୮୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି। ଅସୁସ୍ଥତା କାରଣରୁ ଦୀର୍ଘଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ ଡମ୍ବୁରୁଧର ଉଲାକା। ଗତ ରାତି ପ୍ରାୟ ୧୧ ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପୁତ୍ର ନୀଳମାଧବ ଉଲାକା ସୂଚନା ଦେଇଛନ୍ତି।
ବିଷମକଟକରୁ ୫ଥର କଂଗ୍ରେସ ବିଧାୟକ ଥିଲେ ଡମ୍ବୁରୁଧର ଉଲାକା। ଏହାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ୧୯୩୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଡମ୍ବୁରୁଧର ଉଲାକା।
ସୂଚନା ମୁତାବକ କଂଗ୍ରେସ ଟିକେଟରେ ରାୟଗଡ଼ା ଜିଲା ବିଷମକଟକରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ଉଲାକା ୧୯୭୪ ମସିହାରେ ପ୍ରଥମ ଥର କଂଗ୍ରେସ ଟିକେଟରେ ବିଷମକଟକରୁ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭, ୧୯୮୦, ୧୯୮୫, ୧୯୯୫, ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ଡମ୍ବରୁଧର ଉଲାକା ୧୯୭୨ ମସିହାରେ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ବେଳେ ବିଷମ କଟକ ନିର୍ବାଚନ ମଣ୍ଡଳିରୁ ୭ଥର ବିଧାୟକ ହୋଇଥିଲେ।
୧୯୮୫ମସିହାରେ ସେ ଅବକାରୀ, ସହର ଉନ୍ନତିକରଣ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ହୋଇଥିଲେ। ସ୍ୱର୍ଗତ ଡମ୍ବରୁଧର ଉଲାକାଙ୍କ ମରଶରୀର ତାଙ୍କ ଜନ୍ମମାଟି ବାଙ୍କିଲିକୁ ଅଣାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି। ଡମ୍ବରୁଧର ଉଲାକାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ରାୟଗଡା କଂଗ୍ରେସର କାର୍ଯ୍ଯକାରୀ ସଭାପତି ଶଙ୍କର୍ଷଣ ମଙ୍ଗରାଜ, ପୂର୍ବତନ ସଭାପତି ବିଜୟ ଗମାଙ୍ଗ, ବିଜେପି ଜିଲା ସଭାପତି ଶିବ ପଟ୍ଟନାୟକ, ବିଜେପିର ସାଂସଦ ପ୍ରାର୍ଥୀ କାଳୀରାମ ମାଝୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।