SUNSTARTV
ସନଷ୍ଟାର ଟିଭି ବ୍ୟୁରୋ:ଓଡ଼ିଶାରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ । ୪ ଟି ଲୋକସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୬୫.୦୩ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବହ୍ମପୁର ବିଧାନସଭାରେ ସବୁଠୁ କମ୍ ୫୪.୧୪ ପ୍ରତିଶତ ଓ ନବରଙ୍ଗପୁର ବିଧାନସଭା ଆସନରେ ସର୍ବାଧିକ ୭୩.୪୪% ଭୋଟ୍ ପଡ଼ିଛି । ସେହିପରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ୬୧.୧୪ ପ୍ରତିଶତ , କଳାହାଣ୍ଡିରେ ୬୮.୫୦ପ୍ରତିଶତ,କୋରାପୁଟରେ ୬୧.୪୩ପ୍ରତିଶତ ଓ ନବରଙ୍ଗପୁର ଲୋକସଭା ଆସନରେ ୬୮.୭୪ପ୍ରତିଶତ ମତଦାନ ହୋଇଛି ।
ଏହାରି ଭିତରେ ପଟାଂଗୀ ବିଧାନସଭା ଅନ୍ତର୍ଗତ କୋଟିଆ ଭୋଟର ବି ଭୋଟ ଦେଇଛନ୍ତି । ଆନ୍ଧ୍ର ଓ ଓଡିଶା ସୀମାରେ ଥିବା କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ କୋଟିଆ ଭୋଟର ଚଳିତ ସାଧାରଣ ନିର୍ବାଚନରେ ଦୁଇପଟେ ଭୋଟ ଦେଇଛନ୍ତି । କୋଟିଆରେ ଥିବା ୨୧ଟି ଗାଁର ଅଢେଇ ହଜାର ଭୋଟର ପଟାଂଗୀ ବିଧାନସଭା ପାଇଁ ଏବଂ ଆନ୍ଧ୍ରର ସାଲୁର ବିଧାନସଭା ସହ ଓଡ଼ିଶାର କୋରାପୁଟ ଓ ଆନ୍ଧ୍ରର ଆରକୁ ସଂସଦୀୟ କ୍ଷେତ୍ର ପାଇଁ ମତଦାନ କରିଛନ୍ତି । ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ କୋଟିଆ ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । କୋଟିଆରେ ରେକର୍ଡ ୭୬ ପ୍ରତିଶତ ମତଦାନ ହୋଇଛି ।
ଚଳିତ ଥର ପଟାଂଗୀରେ ବିଜେଡି ପ୍ରାର୍ଥୀ ପ୍ରଫୁଲ ପାଙ୍ଗୀ ବିଜେପି ପାର୍ଥୀ ଚୈତନ୍ୟ ହନ୍ତାଳ ଏବଂ କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମଙ୍କ ମଧ୍ୟରେ କଡ୍ଡା ଫାଇଟ୍ ହୋଇଥିବା ବେଳେ ସେପଟେ ଆନ୍ଧ୍ରର ସାଲୁର ବିଧାନସଭା ମଣ୍ଡଳୀରେ ଟିଡିପି ପ୍ରାର୍ଥୀ ଏବଂ ୱାଇଏସଆରସିପିର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହୋଇଛି । ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କୋଟିଆକୁ ନେଇ କିଏ ହକ ଜାହିର କରିବା ଏବଂ କୋଟିଆବାସୀ କାହାକୁ ମାନିବେ ସେମାନଙ୍କ ନେତା ତାହା ଆଗାମୀ ଦିନରେ ହିଁ ଜଣାପଡିବ ।