SunstartTV
ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦୀଙ୍କ ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ। ୩ ଏପ୍ରିଲ୍ ୨୦୨୪ରେ ଶ୍ରୀ ମୋଦୀ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ଗତ ୬ ମାସ ଧରି କର୍କଟ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ।
ଗତ କିଛି ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ମୃତ୍ୟୁ ସମ୍ପର୍କରେ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି। ଆସନ୍ତାକାଲି ସୁଶୀଲଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସରୁ ପାଟନାର ରାଜେନ୍ଦ୍ରନଗର ବାସଭବନକୁ ଅଣାଯିବ ଓ ଅପରାହ୍ଣରେ ଶେଷକୃତ୍ୟ ସମ୍ପନ୍ନ ହେବ।
ଗତ ମାସରେ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ଯେ ସେ ଗତ ୬ ମାସ ଧରି କର୍କଟ ରୋଗ ସହ ଲଢ଼ୁଛନ୍ତି। ସୂଚନାମୁତାବକ ପ୍ରାୟ ୧୧ ବର୍ଷ ଧରି ସୁଶୀଲ ମୋଦୀ ବିହାରର ଡେପୁଟି ସିଏମ୍ ରହି ଥିଲେ । ଡିସେମ୍ବର ୨୦୨୦ ରେ ଭାରତୀୟ ଜନତା ପାର୍ଟି ତାଙ୍କୁ ରାଜ୍ୟସଭାକୁ ନିର୍ବାଚିତ କରିଥିଲା । ବିହାର ରାଜନୀତିରେ ବିଜେପିର ଜଣେ ଟାଣୁଆ ନେତା ଥିଲେ ଶୁଶୀଲ । ୨୦୦୪ରେ ଲୋକସଭା ଓ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।