Sunstar Tv
PM Modi: ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । SPG କମାଣ୍ଡଙ୍କ ରାଡାରରେ ରାମମନ୍ଦିର ଠାରୁ ବାଣୀବିହାର । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କରିଲେ ତନ୍ନତନ୍ନ ଯାଞ୍ଚ ।
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ପୂର୍ବରୁ ବାଣୀବିହାର ରାମମନ୍ଦିର ପର୍ଯ୍ୟନ୍ତ ରାସ୍ତାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି SPG କମାଣ୍ଡ। ଆଜି ଅପରାହ୍ନରେ ରାମମନ୍ଦିରରୁ ବାଣୀବିହାର ଯାଏଁ ହେବ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ।
ପାଖାପାଖି ଏକ ଘଣ୍ଟା ଧରି ହେବାକୁ ଥିବା ଏହି ରୋଡ ଶୋରେ ପବ୍ଲିକ୍, ମିଡିଆ, ଷ୍ଟେଜ, ଅର୍ଦ୍ଧନିର୍ମିତ ରାସ୍ତା, ଟ୍ରାଫିକ, ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଶୋ ରୁମ୍ ପ୍ରତିଟି ସ୍ଥାନକୁ ଦେଖୁଛନ୍ତି SPG କମାଣ୍ଡୋ।
ଏଥିସହ ହାଇରାଇଜ ବିଲଡି ଓ ମାର୍କେଟ ଆଦିକୁ ମଧ୍ୟ ଯାଞ୍ଚ କରାଯାଉଛି । ସୁରକ୍ଷାକୁ ନଜରରେ ରଖି ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରୋଡ ଶୋ ବେଳେ ରାମ ମନ୍ଦିରରୁ ବାଣୀ ବିହାରକୁ ନୋ ଫ୍ଲାଏ ଜୋନ କରାଯିବା ସହ ବମ୍ ସ୍କ୍ୱାର୍ଡ ଓ ଡଗ ସ୍କ୍ୱାର୍ଡ ମୁତୟନ ରହିବେ ।
୫ ଜଣ ଡିସିପି, ୧୦ ଜଣ ଅତିରିକ୍ତ ଡିସିପି, ୨୭ଜଣ ଏସିପି, ୪୧ ଜଣ ଆଇଆଇସି, ୫୫ ପ୍ଲାଟୁନ ଫୋର୍ସ ଓ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ।
ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରେ କଡ଼ାକଡ଼ି ଯାଞ୍ଚ କରାଯାଉଥିବା ବେଳେ ସନ୍ଦିଗ୍ଧ ଗତିବିଧି ଏଡାଇବାକୁ ଚାରିଆଡେ ଚାଲିଛି ଜୋରଦାର ଚେକିଂ। ସହରରେ ହାଇ ଆଲର୍ଟ। ହୋଟେଲରେ ଅତିଥିଙ୍କର ମଧ୍ୟ କରାଯାଉଛି ଯାଞ୍ଚ ।
ଶୁକ୍ରବାର ସନ୍ଧ୍ୟା ୮ ଟାରୁ ବାହାରିବ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ। ଏହି ରୋଡ୍ ଶୋ’ରେ ରାଜଧାନୀବାସୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ।
ରାମମନ୍ଦିର ଛକରୁ ବାଣୀବିହାର ଭିତରେ ପ୍ରାୟ ୧୦ଟି ମଞ୍ଚ କରାଯାଇଛି। ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ ଲୋକ ଏକାଠି କରିବାକୁ ଯୋଜନା କରିଛି ବିଜେପି।
ମୋଦିଙ୍କ ରୋଡ୍ ଶୋ’ରେ ସାମିଲ ହେବାକୁ ଲୋକଙ୍କୁ ଅପିଲ୍ କରିଛନ୍ତି ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ।
ରୋଡ୍ ଶୋ’ ପରେ ରାଜଭବନରେ ରାତ୍ରୀ ଯାପନ କରିବେ ପ୍ରଧାନମନ୍ତ୍ରୀ। ପରଦିନ ଶନିବାର ପ୍ରଧାନମନ୍ତ୍ରୀ କନ୍ଧମାଳ ଯିବେ। ଶନିବାର ସକାଳ ସାଢ଼େ ୯ଟାରେ କନ୍ଧମାଳ ଷ୍ଟାଡିୟମରେ ଆୟୋଜିତ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ମୋଦି।
ତାପରେ ଦିନ ୧୧ଟା ୩୯ରେ ବଲାଙ୍ଗିରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ। ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ। ଶେଷରେ ଅପରାହ୍ନ ୧ଟା ବେଳେ ବରଗଡ଼ ଟୋଲ୍ ଗେଟ୍ ପଡିଆରେ ଆୟୋଜିତ ସଭାରେ ଦେବେ ଅଭିଭାଷଣ।
ଆଜି ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ। ପୋଲିସ କମିଶନର କହିଛନ୍ତି , ଏଥିପାଇଁ ସମ୍ପୂର୍ଣ୍ଣ ଜନପଥକୁ ସିସିଟିଭି ସର୍ଭେଲାନ୍ସରେ ରଖାଯିବ। ଟ୍ରାଫିକ କଟକଣା ପାଇଁ ଜାରି ହୋଇଛି ମାର୍ଗଦର୍ଶିକା।
ନିୟମ ଅନୁସାରେ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତା ଅପରାହ୍ନ ୪ଟାରୁ ପ୍ରଧାନମନ୍ତ୍ରୀଙ୍କ ରାଲି ସରିବା ପର୍ଯ୍ୟନ୍ତ ବନ୍ଦ ରହିବ। ଭିଆଇପିଙ୍କ ଯାତାୟାତ ପାଇଁ ଏୟାରପୋର୍ଟରୁ ରାଜଭବନ ପର୍ଯ୍ୟନ୍ତ ରାସ୍ତାକୁ ନୋ ଫ୍ଲାଇଂ ଜୋନ୍ କରାଯିବ। କୌଣସି ଡ୍ରୋନ ଉଡ଼ିପାରିବ ନାହିଁ।
ସମ୍ପୂର୍ଣ୍ଣ ରୋଡ୍ ଶୋ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ରାସ୍ତାରେ ଥିବା ହୋଟେଲ ଓ ବସ୍ତିରେ କଡାକଡି ଚେକିଂ କରିଛନ୍ତି ପୋଲିସ ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସପିଜି ୟୁନିଟ୍।
ଗତ ୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ସଭା କରିଥିଲେ ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଟାର୍ଗେଟ୍ କରି କ୍ୟାମ୍ପେନ କରିଥିଲେ । ଏଥର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଖିରେ ରଖି ପ୍ରଚାର ପାଇଁ ଆସୁଛନ୍ତି ମୋଦି।