SunstarTV
ବରିଷ୍ଠ କଂଗ୍ରେସ ନେତା ସାମ୍ ପିଟ୍ରୋଡାଙ୍କ ବିବାଦ ଥମିବାର ନା ନେଉନାହିଁ । ଭାରତର ବିଭିନ୍ନ ଅଞ୍ଚଳର ଲୋକଙ୍କ ବର୍ଣ୍ଣକୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଛି । ଯାହାର ଫଳ ସ୍ୱରୂପ ତାଙ୍କୁ ଏବେ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡିଛି ।
ମିଳିଥିବା ସୂଚନା ଅନୁସାରେ ବର୍ଣ୍ଣବୈଷମ୍ୟ ଉପରେ ବୟାନ ଦେଇ ବିବାଦରେ ଫସିବା ପରେ ପିଟ୍ରୋଡା ନିଜ ପଦ ଛାଡିଛନ୍ତି। ଏ ନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି। ଜୟରାମ ରମେଶ କହିଛନ୍ତି, ‘‘ପିଟ୍ରୋଡା ନିଜ ଇଚ୍ଛାରେ ପଦ ଛାଡିଛନ୍ତି ଓ ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ ବି କରିନିଆଯାଇଛି।’’
ସୂଚନା ମୁତାବକ ଦି ଷ୍ଟେଟମ୍ୟାନକୁ ଦେଇଥିବା ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମ ପିଟ୍ରୋଡା ଭାରତୀୟଙ୍କ ରଙ୍ଗ ଓ ରୂପକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଯାହା ଖୁବ ଭାଇରାଲ ହେଇଥିଲା।
ସେ ଭାରତକୁ ଏକ ବିବିଧ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ପୂର୍ବୋତ୍ତର ଲୋକମାନେ ଚାଇନିଜ ଓ ପଶ୍ଚିମ ଭାରତର ଲୋକମାନେ ଆରବ ଭଳି, ଉତ୍ତର ଭାରତରେ ଲୋକମାନେ ଗୋରା ଏବଂ ଦକ୍ଷିଣ ଭାରତରେ ଲୋକମାନେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି ବୋଲି ସେ କହିଥିଲେ । ପରେ ତାଙ୍କର ଏହି ବୟାନକୁ ବିବାଦ ରୂପ ନେଇଥିଲା । କିନ୍ତୁ କଂଗ୍ରେସ ପିଟ୍ରୋଡାଙ୍କ ଏହି ବୟାନରୁ ନିଜକୁ ଦୂରେଇ ରଖିଥିଲା ।
କଂଗ୍ରେସ ନେତା ଜୟରାମ ରମେଶ ଏକ୍ସରେ ଏକ ପୋଷ୍ଟ୍ କରି କହିଥିଲେ, ‘‘ସାମ ପିତ୍ରୋଡ଼ାଙ୍କର ଏଭଳି ଟିପ୍ପଣୀ ଅଗ୍ରହଣୀୟ ଏବଂ ଦଳ ଏହି ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖୁଛି। ଏହାକୁ ବିଜେପି ଅତିରଞ୍ଜିତ କରି ପରିବେଷଣ କରୁଛି।’’