SUNSTARTV
ସନ୍ ଷ୍ଟାର ବ୍ୟୁରୋ: କଳା ସଂସ୍କୃତି ଓ ପରମ୍ପରାର ରାଜ୍ୟ କହିଲେ ଓଡିଶା । ଏଠାରେ ପାଳନ ହୁଏ ୧୨ ମାସରେ ୧୩ ପର୍ବ । କେତେବେଳେ ରଜ ଦୋଳି ସହ ପୋଡପିଠାର ଆନନ୍ଦ ମିଳେ ତ ଆଉ କେତେବେଳେ ରଥ ଯାତ୍ରାରେ ଏକାଠି ହୁଅନ୍ତି ଭକ୍ତ ଓ ଭଗବାନ । ଏହାରି ଭିତରେ ଅକ୍ଷୟ ତୃତୀୟାର ମହତ୍ୱ ବେଶ ଅଧିକ । ଏହି ପର୍ବ କୃଷି ଓ ଚାଷୀ ସହିତ ଜଡିତ । ଅକ୍ଷୟ ତୃତୀୟାକୁ ଖୁବ ଉତ୍ସାହର ସହ ପାଳେ ଚଷାକୂଳ । ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୁଏ ଚାଷୀକୂଳର ବଡ ପର୍ବ ଅକ୍ଷୟ ତୃତୀୟା । ଏହି ଦିନ ଅମୃତ ବେଳାରେ ଚଷାପୁଅ ଅଖିମୁଠି ବୋହି ତାର କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । କେବଳ ଯେ ଚାଷି ତାର ଚାଷ କାର୍ଯ୍ୟ କରିଥାଏ ତା ନୁହେଁ । ଏହି ତିଥିରେ ରଥକାଠ ବି ଅନୁକୂଳ ହୁଏ ,ଏବଂ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୁଏ ।
ଚାଷା ପୁଅ ପାଇଁ ଏହି ଦିନ ଟି ବେଶ ଉତ୍ସାହର ଦିନ । କାରଣ ଏହିଠାରୁ ଚାଷି ତାର ବର୍ଷକର ଖାଦ୍ୟ ଅମଳ ପାଇଁ କ୍ଷେତ ପୂଜା କରେ । ସକାଳୁ ସକାଳୁ ଚାଷୀ ସ୍ନାନ ସାରି ଅଖିମୁଠି ପାଇଁ ପ୍ରସ୍ତୁତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ , ସିନ୍ଦୁର ବୋଳା ଧାନ ବିହନ ନୂଆ ଗୋଉଣୀରେ ରଖିଥାଏ । ଏହାପରେ ଚାଷୀ ସେହି ଗୋଉଣୀକୁ ମୁଣ୍ଡରେ ଥୋଇ କ୍ଷେତକୁ ବାହାରି ଯାଏ । ଧାନ ଗୋଉଣୀ ଛଡା ଚାଷୀ ଆଉ ଏକ ଟୋକେଇ ମଧ୍ୟ ନେଇଥାଏ । ଯେଉଁଥିରେ ଘରେ ପ୍ରସ୍ତୁତ ହୋଇଥିବା ଭୋଗ ସହିତ ଲଙ୍ଗଳ ଫାଳ ଏବଂ କିଛି କ୍ଷତ ମଧ୍ୟ ରହିଥାଏ । ଚଷା ପୁଅ ଯେବେ ଧାନ ନେଇ ତାର କ୍ଷେତକୁ ଯାଏ ସେ ଏକ ମୁଁହା ହୋଇ ତାର ଚାଷ ଜମିକୁ ଯାଇଥାଏ । ସେଠାରେ ସେ ପହଞ୍ଚି ମା ଲକ୍ଷ୍ମୀଙ୍କୁ ଆରାଧନା କରି ମାଙ୍କୁ ନୈବିଦ୍ୟ ଅର୍ପଣ କରେ । ଏହାପରେ ଚାଷ ଜମୀର ଐଶାନ୍ୟ କୋଣରେ ତାର ଧାନକୁ ପୋତି ହଳ ବୁଲାଏ ଆଉ କିଆରିରେ ମୁଠା ମୁଠା ବିହନ ଛିଞ୍ଚିଥାଏ । ଯାହାକୁ ଅଖିମୁଠି କୁହାଯାଏ ।
ଏହିଭଳି ଭାବେ ଅକ୍ଷୟ ତୃତୀୟାକୁ ପାଳିଥାଏ ଚଷା ପୁଅ । ଏହି ଦିନରୁ ଆଷାଢ ପର୍ଯ୍ୟନ୍ତ ଚଷୀ ତାର କ୍ଷେତରେ ସୁନାର ଫଲସ ଅମଳ କରିବାକୁ ଲଗିପଡେ । ବୈଶାଖର ଟାଣ ଖରା ଏବଂ ଆଷାଡର ମୁଷଳ ଧରଣ ବର୍ଷାକୁ ସହି ସେ ଲୋକଙ୍କ ପେଟକୁ ଦାନା ଯୋଗାଇଥାଏ ।