SunstarTV
ଆଜି ବୁଧବାର ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଇଥାଏ । ଆଜି ଅନବସର ପିଣ୍ଡିରେ ଅନବସର ନୀତି ସଂମ୍ପୃକ୍ତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ।
ଯାହା ପାଇଁ ପ୍ରାୟ ୬ ଘଣ୍ଟା ଧରି ଏହି ବନକ ଲାଗି ନୀତି କରାଯାଉଥିବା ବେଳେ ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ।
ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା ମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର ସୌଭାଗ୍ୟ ପାଇବେ ଭକ୍ତ ଶ୍ରଦ୍ଧାଳୁ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ।