SunStarTV
ନିର୍ବାଚନ ତାତି ଭିତରେ ଟିକେଟ ପାଇବା ପାଇଁ ନେତା ନାହିଁ ନଥିବା ପ୍ରୟାସ କରୁଛନ୍ତି। ଟିକଟ ଖଣ୍ଡେ ପାଇଁ ବିଭିନ୍ନ ରାଜନୈତିକ ଦଳରେ ଆଶାୟୀଙ୍କ ଲବି ଜାରି ରହିଛି । କିନ୍ତୁ ଟିକେଟ ପାଇ ସୁଦ୍ଧା ଫେରାଇ ଚର୍ଚ୍ଚାରେ ପୁରୀରୁ କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି । ଦଳ ନିର୍ବାଚନୀ ପ୍ରଚାର ଖର୍ଚ୍ଚ ଦେଉନଥିବାରୁ ସେ ନିର୍ବାଚନ ଲଢିବାକୁ ଅସମର୍ଥତା ପ୍ରକାଶ କରି ଏହି ନିଷ୍ପତ୍ତି ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି ।
ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ଦିଆଯାଇନଥିବା ଓ ପୁରୀ ସଂସଦୀୟ କ୍ଷେତ୍ରରେ ଦୁର୍ବଳ ବିଧାୟକ ପ୍ରାର୍ଥୀ ଦିଆଯାଇଥିବା ଅଭିଯୋଗ ଆଣି ସେ ଟିକେଟ ଫେରସ୍ତ କରିଛନ୍ତି ବୋଲି କହିଛନ୍ତି। ଦଳୀୟ ଫଣ୍ଡିଂ ବିନା ପ୍ରଚାର ଅସମ୍ଭବ କହିଛନ୍ତି ସୁଚରିତା । ଇମେଲ ଯୋଗେ କଂଗ୍ରେସ ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ଦଳର ସଙ୍ଗଠନ ସାଧାରଣ ସମ୍ପାଦକ କେସି ଭେନୁଗୋପାଳଙ୍କୁ ଟିକେଟ ଫେରସ୍ତ କରିଥିବା ନେଇ ଜଣାଇଛନ୍ତି।
ଦ୍ବିତୀୟ ଥର ପାଇଁ କଂଗ୍ରେସ ତାଙ୍କୁ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଥିଲା। ସେପଟେ କଂଗ୍ରେସ ଖୁବ୍ ଶୀଘ୍ର ପୁରୀ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରି ଯେକୌଣସି ମୁହୂର୍ତ୍ତରେ ନୂଆ ପ୍ରାର୍ଥୀ ଘୋଷଣା କରିପାରେ ।
ସୂଚନା ମୁତାବକ ଗତ ଦୁଇଦିନ ତଳେ ଲୋକଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଆର୍ଥିକ ସହାୟତା ନିବେଦନ କରି ଚର୍ଚ୍ଚାକୁ ଆସିଥିଲେ ସୁଚରିତା। ସେ ସହାୟତା ରାଶି ସଂଗ୍ରହ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଏକ କ୍ୟୁଆର-କୋଡ ସେୟାର କରିଥଲେ । ହେଲେ ଏହି ନିବେଦନ ଲୋକଙ୍କ ଦ୍ଵାରା ଗ୍ରହଣୀୟ ନହେବାରୁ ସେ ଟିକେଟ ଫେରାଇବା ନିଷ୍ପତ୍ତି ନେଇଥିବା ସୁଚରିତା କହିଛନ୍ତି ।