SunstarTV
ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ । ପଶ୍ଚିମବଙ୍ଗ ରାଜଭବନରେ କାର୍ଯ୍ୟରତ ଜଣେ ମହିଳା ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ଦ୍ୱାରା ଅସଦାଚରଣ ଅଭିଯୋଗ ଆଣିଛନ୍ତି ବୋଲି ତୃଣମୂଳ କଂଗ୍ରେସର ଅନେକ ନେତା ଗୁରୁବାର ଦାବି କରିଛନ୍ତି ।
ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଟିଏମସି ନେତାମାନେ ଦାବି କରିଛନ୍ତି ଯେ ଅଭିଯୋଗ ଆଣିଥିବା ମହିଳା ଜଣକ କୋଲକାତା ପୋଲିସ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ । ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁହାଁମୁହିଁ ହୋଇଥିବାବେଳେ ରାଜ୍ୟପାଳଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି।
ଆଦେଶନାମାରେ ରାଜ୍ୟ ପୁଲିସ ଏବଂ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ରାଜଭବନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ମନ୍ତ୍ରୀ ଚନ୍ଦ୍ରିକା ଭଟ୍ଟାଚାର୍ଯ୍ୟ ରାଜ୍ୟପାଳଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ତାଙ୍କୁ କଲକାତା, ଦାର୍ଜିଲିଂ ଏବଂ ବାରାକପୁରରେ ଥିବା ରାଜଭବନରେ ପ୍ରବେଶ ନିଷେଦ୍ଧ କରାଯାଇଥିବା ଆଦେଶରେ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ବିରୋଧରେ ରାଜଭବନର ଜଣେ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ଦୃଢ଼ ନିନ୍ଦା କରିଥିଲେ।
ସେପଟେରାଜଭବନରୁ ଜାରି ହୋଇଥିବା ବିବୃତିରେ ରାଜ୍ୟପାଳ କହିଛନ୍ତି ଯେ, ଏପରି ପରିକଳ୍ପିତ ଅଭିଯୋଗର କୌଣସି ସତ୍ୟତା ନାହିଁ। ମୋତେ ବଦନାମ କରି ଯଦି କେହି ନିର୍ବାଚନୀ ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତେବେ ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ।