SunstarTV
ଆଜି ନାମାଙ୍କନର ଶେଷ ତାରିଖ ଥିବା ବେଳେ କଂଗ୍ରେସର ନେତା ରାହୁଲ ଗାନ୍ଧି ଆଜି ରାୟବରେଲୀରୁ ନିଜର ପ୍ରାର୍ଥୀ ପତ୍ର ଦାଖଉ କରିବେ । ଆଜି କଂଗ୍ରେସ ଆମେଥି ଏବଂ ରାଏବରେଲୀ ପାଇଁ ଘୋଷଣା କରିଛି ପ୍ରାର୍ଥୀ ତାଲିକା। ଏଥର ଉତ୍ତର ପ୍ରଦେଶ ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧି ।
AICC ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଏଥିସହ ଆଜି ହିଁ ରାହୁଲ ଗାନ୍ଧି ନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ଏହା ସହିତ ଆମେଥିରୁ କିଶୋରୀଲାଲ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ।
ରାୟବରେଲୀ ଆସନରୁ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥର ସେ ନିର୍ବାଚନ ଲଢ଼ିବେ ନାହିଁ ବରଂ ପ୍ରିୟଙ୍କା ପ୍ରଚାରରେ ନିୟୋଜିତ ରହିବେ ବୋଲି ସ୍ପଷ୍ଟ ହୋଇଛି।
ଉଭୟ ରାୟବରେଲୀ ଓ ଆମେଠି ପାଇଁ ପୂର୍ବରୁ କଂଗ୍ରେସ ତାଲିକାରେ ରାହୁଲ ଗାନ୍ଧି ଓ କିଶୋରି ଲାଲ ଶର୍ମାଙ୍କ ନାମ ନ ଥିଲା। ମାତ୍ର ନାମାଙ୍କନ ଦାଖଲର ଠିକ୍ ପୂର୍ବରୁ କଂଗ୍ରେସ ନିଜ କାର୍ଡ ଖେଳିଛି। ପୂର୍ବରୁ ଆମେଠିରୁ ନିର୍ବାଚନ ଲଢ଼ୁଥିବା ରାହୁଲ ଗାନ୍ଧିଙ୍କ ସିଟ୍ ଏଥର ଦଳ ବଦଳାଇ ଦେଇଛି।
୨୦୦୪ରୁ ୨୦୧୯ ଯାଏ ରାହୁଲ ଗାନ୍ଧି ଆମେଠି ଆସନରୁ ଜିତି ଆସୁଥିଲେ। ୨୦୧୯ରେ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିଲେ। ୨୦୧୯ରେ ରାହୁଲ ଆମେଠି ସହ କେରଳର ୱାୟନାଡରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ। ଆମେଠିରୁ ହାରିଥିଲେ ମଧ୍ୟ ୱାୟନାଡରୁ ଜିତି ସେ ଲୋକସଭାକୁ ଯାଇଥିଲେ।
ଏଥର ମଧ୍ୟ ରାହୁଲ ଗାନ୍ଧି ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି। ସେଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟିଂ ହୋଇଥିଲା। ଏବେ ସେ ରାୟବରେଲୀରେ ବି ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି।