ରାୟପୁର: ଛତିଶଗଡର ବିଶିଷ୍ଟ ପରିବେଶବିତ୍ ଆଲୋକ ଶୁକ୍ଳାଙ୍କୁ ଚଳିତବର୍ଷର ସମ୍ମାନଜନକ ଗୋଲ୍ଡମ୍ୟାନ ଏନଭାର୍ଣ୍ଣମେଣ୍ଟାଲ ଫାଉଣ୍ଡେସନ ପୁରସ୍କାର ବା ଗ୍ରୀନ ନେବେଲ ପୁରସ୍କାର ପ୍ରଦାନ କରାଯାଇଛି । ଭାରତର ଆଲୋକଙ୍କ ସହ ମୋଟ ୭ ଜଣଙ୍କୁ ଏହି ପୁରସ୍କାର ମିଳିଛି । ଛତିଶଗଡର ୨୧ଟି କୋଇଲା ଖଣି ଅଞ୍ଚଳରେ ବ୍ୟାପିଥିବା ପ୍ରାୟ ୪ ଲକ୍ଷ ୪୫ ହଜାର ଏକର ଜଙ୍ଗଲ ଜମିରେ ଜୈବ ବିବିଧତା ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପଦକ୍ଷେପ ଫଳରେ ରାଜ୍ୟ ସରକାର ରାଜ୍ୟର ଫୁସଫୁସ୍ କୁହାଯାଉଥିବା ହସଦେବ ଅରଣ୍ୟ ଅଞ୍ଚଳରେ ୨୧ଟି ପ୍ରସ୍ତାବିତ କୋଇଲା ଖଣିକୁ ବାତିଲ କରିଦେଇଥିଲେ । ଏହି ଅଞ୍ଚଳ ଘନ ଜଙ୍ଗଲ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ । ପୁରସ୍କାର ପାଇବା ଲାଗି ଆଲୋକ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ଠାରେ ପହଞ୍ଚିଛନ୍ତି ।
ସେ କହିଛନ୍ତି ପୁରସ୍କାର ପାଇବା ତାଙ୍କ ପାଇଁ ଖୁସିର ମୁହୂର୍ତ୍ତ । ତାଙ୍କର ଦୀର୍ଘବର୍ଷର କାର୍ଯ୍ୟକୁ ଶେଷରେ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି । ଏହି ପୁରସ୍କାର ପାଇବା ଲାଗି ତାଙ୍କୁ ସମଗ୍ର ଏସିଆ ମହାଦେଶର ପ୍ରତନିଧିତ୍ୱ କରିବାକୁ ପଡିଛି । ସେ କହିଛନ୍ତି ଗ୍ରୀନ୍ ନୋବେଲ ବିଶ୍ୱରେ ଦିଆଯାଉଥିବା ପରିବେଶ ସୁରକ୍ଷା ପୁରସ୍କାର ମଧ୍ୟରୁ ସବୁଠାରୁ ବଡ । ଏହି ପୁରସ୍କାର ହେଉଛି ହସଦେବ ଅଞ୍ଚଳର ସମୃଦ୍ଧ ଜଙ୍ଗଲ ଓ ପରିବେଶକୁ ବଞ୍ଚାଇବାର ଦୀର୍ଘ ୧୨ ବର୍ଷର ସଂଘର୍ଷରତ ଆଦିବାସୀ ତଥା ଏହି ଆନ୍ଦୋଳନ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କର । ଏହି ପୁରସ୍କାର ମିଳିବା ପରେ ହସଦେବ ଜଙ୍ଗଲ ବଞ୍ଚାଇବାର ସଂଘର୍ଷକୁ ବଳ ମିଳିବ ଏବଂ ଆନ୍ତର୍ଜାତିକ ସ୍ତରରେ ସମର୍ଥନ ମଧ୍ୟ ମିଳିବ ବୋଲି ଆଲୋକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।