SUNSTRATV
ଭୁବନେଶ୍ୱର: ସକାଳ ହେଉ ହେଉ ମାଡ଼ି ଆସୁଛି ତାତି । ସକାଳ ଆଠଟାରୁ ଗରମ ଏତେ ବଢ଼ିଯାଉଛି ଯେ, ମଧ୍ୟାହ୍ନର ଭ୍ରମ ସୃଷ୍ଟି କରୁଛି । ତାତି ପ୍ରକୋପରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ତାତି ଏମିତି ଭୟଙ୍କର ରୂପ ନେଉଛି ଯେ, ସକାଳ ୯ଟାରୁ ବାହାରକୁ ଯିବାକୁ ଡର ଲାଗୁଛି । ରାସ୍ତା ଉପରେ ବହୁଛି ନିଆଁ ପବନ। ତାତିର ଏ ଯନ୍ତ୍ରଣା ଆଗକୁ ଆହୁରି ଉଗ୍ର ରୂପ ନେବାକୁ ଯାଉଛି ।
ଲୋକଙ୍କୁ ଅଣନିଶ୍ୱାସୀ କରିଦେବ ଭୀଷଣ ଗ୍ରୀଷ୍ମପ୍ରବାହ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ତାତି ଆହୁରି ୨ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି । ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ଅନୁଭୂତ ହେବ । ରବିବାର ମୟୂରଭଞ୍ଜ, କଟକ ଓ ଢେଙ୍କାନାଳରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ପ୍ରବାହିତ ହୋଇଛି । ଗ୍ରୀଷ୍ମପ୍ରବାହ ଦିନ ଆଗକୁ ଆହୁରି ଲମ୍ବିବ । ୨ ତାରିଖ ଯାଏ ପ୍ରଚଣ୍ଡରୁ ଅତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେବ ।
ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କଟକକୁ ସତର୍କ କରାଇଛି ପାଣିପାଗ ବିଭାଗ । ଏ ସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୩୦ରେ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲା ସମେତ ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ଏହି ସମସ୍ତ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ମାଡ଼ି ଆସିବ । ୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର ଓ ଯାଜପୁରରେ ଗ୍ରୀଷ୍ମପ୍ରବାହ ଭୀଷଣ ରୂପ ନେବ ।