SUNSTARTV
ଓ୍ବାଶିଂଟନ ଡିସି: ଋଷିଆ ସହ ଲଢ଼େଇ ଜାରି ରଖିବାକୁ ୟୁକ୍ରେନ୍କୁ ସାହାଯ୍ୟ କରିଆସିଛି ଆମେରିକା । ଲଗାତର ସାମରିକ ସହାୟତା ଦେଇ ଋଷିଆ ବିରୋଧରେ ଯୁଦ୍ଧ କରିବାକୁ ୟୁକ୍ରେନକୁ ଉସୁକାଉଛି ହ୍ବାଇଟହାଉସ୍ । ଆଉ ଏବେ ୩୦୦ ମିଲିୟନ୍ ଡଲାରର ମିସାଇଲ ୟୁକ୍ରେନ୍କୁ ଆମେରିକା ଗୁପ୍ତ ଭାବରେ ପଠାଇଥିବା ନେଇ ଜଣେ ଶୀର୍ଷ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ସମାରିକ ସହାୟତା ପ୍ୟାକେଜକୁ ମାର୍ଚ୍ଚ ୧୨ରେ ଅନୁମୋଦନ କରିଥିଲେ ରାଷ୍ଟ୍ରପତି ଜୋ ବାଇଡେନ୍ ।
ସେପଟେ କେତେ ମିସାଇଲ ୟୁକ୍ରେନ୍ ପଠାଯାଇଛି ତାହା ଆମେରିକୀୟ ଅଧିକାରୀ ଜଣଙ୍କ ସ୍ପଷ୍ଟ କରିନାହାନ୍ତି । ତେବେ ହ୍ବାଇଟ ହାଉସ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନଙ୍କ ଅନୁସାରେ, ୟୁକ୍ରେନ୍ ବହୁ ପରିମାଣରେ ମିସାଇଲ ପଠାଯାଇଛି ଏବଂ ଆଗକୁ ଆହୁରି ପଠାଯିବ । ଏହି ମିସାଇଲକୁ ୟୁକ୍ରେନ୍ ଋଷିଆରେ ନୁହେଁ ନିଜ ଦେଶ ଭିତରେ ବ୍ୟବହାର କରିବ ବୋଲି କଥା ଦେଇଛି । ଏହି ମିସାଇଲ ପ୍ରଥମ ଥର ପାଇଁ ଏପ୍ରିଲ ୧୭ରେ ବ୍ୟବହାର ହୋଇଥିଲା । ଋଷିଆ ଅଧୀକୃତ କ୍ରିମିୟାରେ ୟୁକ୍ରେନ୍ ଏହି ମିସାଇଲ ମାଡ଼ କରିଥିଲା । ଯାହାକି ୟୁକ୍ରେନ୍ ସୀମାରୁ ୧୬୫ କିଲୋମଟରେ ଦୂରତାରେ ଅବସ୍ଥିତ ।
ଏହା ସହ ଋଷିଆ ସେନା ବିରୋଧରେ ଦ୍ବିତୀୟ ଥର ପାଇଁ ଦକ୍ଷିଣପୂର୍ବ ୟୁକ୍ରେନ୍ରେ ବ୍ୟବହାର ହୋଇଛି ଏହି ମିସାଇଲ । ତେବେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ଥିବା ଏହି ଆର୍ମି ଟାକ୍ଟିକାଲ୍ ମିସାଇଲ ସିଷ୍ଟମ (ଏଟିଏସିଏମଏସ୍) କୁ ୟୁକ୍ରେନକୁ ଦିଆଯିବ କି ନାହିଁ, ଏହାକୁ ନେଇ ଆମେରିକାରେ ଦୀର୍ଘ ଦିନର ଧରି ଆଲୋଚନାର ପ୍ରସଙ୍ଗ ପାଲଟିଥିଲେ । ସେପଟେ ଗତ ସେପ୍ଟେମ୍ବରରେ ୟୁକ୍ରେନକୁ ମିଡ୍-ରେଞ୍ଜ ମିସାଇଲ ଦେଇଥିଲା ଆମେରିକା । ବାଇଡେନ୍ ପ୍ରଶାସନର ଏଭଳି ନିଷ୍ପତ୍ତିକୁ ପେଣ୍ଟାଗନ ବିରୋଧ କରିଥିଲା । କାରଣ ଦୂରଗାମୀ ମିସାଇଲକୁ ଗୁଡ଼ିକ ଋଷିଆ ଭିତରେ ୟୁକ୍ରେନ୍ ପକାଇପାରେ ବୋଲି ଚିନ୍ତା ପ୍ରକାଶ ପାଇଥିଲା ।
ଅନ୍ୟପଟେ ଋଷିଆ ଏବେ ଉତ୍ତର କୋରିଆ ନିର୍ମିତ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ର ବ୍ୟବହାର କରୁଛି ।ଗତ ଡିସେମ୍ବର ଏବଂ ଜାନୁଆରୀରେ ୟୁକ୍ରେନ୍ରେ ଏହି ମିସାଇଲ ଋଷିଆ ବ୍ୟବହାର କରିବା ପରେ ଏଭଳି ନକରିବାକୁ ଆମେରିକା ମସ୍କୋକୁ ଚେତାବନୀ ଦେଇଥିଲା । ତେବେ ୟୁକ୍ରେନକୁ ଦୂରଗାମୀ ମିସାଇଲ ଦେବା ଲାଗି ବାଇଡେନ୍ ଅନୁମତି ଦେଇଥିଲେ । ଏହି ମିସାଇଲକୁ ଗୁପ୍ତଭାବେ ୟୁକ୍ରେନ୍କୁ ସପ୍ଲାଏ କରିବାକୁ ମଧ୍ୟ କହିଥିଲେ ଜୋ ବାଇଡେନ୍ ।