SUNSTARTV
ନୂଆଦିଲ୍ଲୀ: ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ ହେବା ପରେ ବର୍ତ୍ତମାନ ଭାରତରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି। ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆଇଟି କମ୍ପାନୀଗୁଡ଼ିକ ୧ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିଛନ୍ତି। ଦେଶର ତିନୋଟି ବଡ଼ ଆଇଟି କମ୍ପାନୀ ଟିସିଏସ୍, ଇନ୍ଫୋସିସ ଏବଂ ୱିପ୍ରୋ ମାର୍ଚ୍ଚ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ପ୍ରକାଶ କରିଛନ୍ତି। ଏଥିରେ ପ୍ରକାଶ ପାଇଛି ଯେ, ୨୦୨୩-୨୪ ଆର୍ଥିକ ବର୍ଷରେ ସେମାନେ ପ୍ରାୟ ୬୪ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ପ୍ରଥମ ଥର ପାଇଁ ବୃହତ୍ ଆଇଟି କମ୍ପାନୀଗୁଡ଼ିକ ଗୋଟିଏ ଆର୍ଥିକ ବର୍ଷରେ ଏତେ ପରିମାଣରେ ସେମାନଙ୍କର କର୍ମଚାରୀ ହ୍ରାସ କରିଛନ୍ତି। ସର୍ବବୃହତ ଆଇଟି ସଂସ୍ଥା ତଥା ଦେଶର ଦ୍ୱିତୀୟ ବୃହତ୍ତମ ତାଲିକାଭୁକ୍ତ କମ୍ପାନୀ ଟିସିଏସ୍ ମାର୍ଚ୍ଚ ତ୍ରୈମାସରେ ୧,୭୫୯ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଥିବାବେଳେ ସମଗ୍ର ଆର୍ଥିକ ବର୍ଷରେ ଟିସିଏସ୍ କର୍ମଚାରୀଙ୍କ ସଂଖ୍ୟା ୧୩,୨୪୯ ହ୍ରାସ ପାଇଛି।
ସେହିଭଳି ଇନ୍ଫୋସିସ୍ ଏହି ଅବଧି ମଧ୍ୟରେ ୫,୪୨୩ କର୍ମଚାରୀ ଏବଂ ସମଗ୍ର ଆର୍ଥିକ ବର୍ଷରେ ୨୫,୯୯୪ କର୍ମଚାରୀଙ୍କୁ ଛଟେଇ କରିଛି। ୱିପ୍ରୋ ତ୍ରୈମାସିକରେ ୬,୧୮୦ ଏବଂ ସମଗ୍ର ଆର୍ଥିକ ବର୍ଷରେ ୨୪,୫୧୬ କର୍ମଚାରୀ ଛଟେଇ କରିଛି। ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବଡ଼ ବଡ଼ ଆଇଟି କମ୍ପାନୀର କର୍ମଚାରୀଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ଘଟିଛି। ଆର୍ଥିକ ବର୍ଷ ଶେଷ ହେବା ପରେ ଟିସିଏସ୍ର ମୋଟ କର୍ମଚାରୀଙ୍କ ସଂଖ୍ୟା ୬ ଲକ୍ଷ ୧ ହଜାର ୫୪୬ କୁ ଖସି ଆସିଛି। ସେହିଭଳି ବର୍ତ୍ତମାନ ଇନ୍ଫୋସିସରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୪୦ ଥିବାବେଳେ ୱିପ୍ରୋର ମୋଟ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। କର୍ମଚାରୀଙ୍କ ସଂଖ୍ୟା କମିବା ସହ ଚଳିତ ଆର୍ଥିକ ବର୍ଷର ପ୍ରଦର୍ଶନ ନିରାଶଜନକ ଅଟେ। ଗତ ଆର୍ଥିକ ବର୍ଷରେ ମଧ୍ୟ ଆଇଟି କମ୍ପାନୀଗୁଡ଼ିକ ସମାନ ପରିସ୍ଥିତି ଦେଇ ଗତି କରିଥିବାବେଳେ ଆସନ୍ତା ବର୍ଷ ପାଇଁ କମ୍ପାନୀଗୁଡ଼ିକର ସମାନ ସ୍ଥିତି ଆକଳନ କରାଯାଉଛି।