ଆଜି ହେଉଛି ମହାପ୍ରଭୁ ଲିଙ୍ଗ ରାଜଙ୍କ ବାହୁଡା ଯାତ୍ରା । ମାଉସିମା ଘରୁ ସ୍ୱଗୃହକୁ ଫେରିବେ ପ୍ରଭୁ । ହିନ୍ଦୁ ପାଞ୍ଜି ଅନୁସାରେ ଦ୍ୱାଦଶୀ ତିଥିରେ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିରରୁ ଲିଙ୍ଗରାଜମନ୍ଦିରକୁ ବାହୁଡିବେ । ଏନେଇ ଚଳଚଞ୍ଚଳ ଭୁବନେଶ୍ୱର । ତେବେ ପ୍ରତିବର୍ଷଠାରୁ ଏଥର ବାହୁଡା ଟିକେ ନିଆରା ଓ ଟିକେ ଅଲଗା । ୫ ଦିନର ଏହି ରଥ ଯାତ୍ରାରେ ଏଥର ପ୍ରଭୁ ମାତ୍ର ୪୧ ଘଣ୍ଟା ମାଉସି ମା ଘରେ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଅନୁଷ୍ଠାନର ସମ୍ପାଦକ ଭିକାରୀ ଚରଣ ସାହୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶୁକ୍ରବାର ରାମେଶ୍ୱର ୨୪ପ୍ରହର କମିଟି ତରଫରୁ ଏଠାରେ ହରିହାଟ କରାଯାଇଥିଲା । ଏଥିସହିତ ଶ୍ରୀଜିଉଙ୍କ ବାହୁଡା ଯାତ୍ରା ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି ।
ସକାଳ ସାଢେ୬ଟାରେ ମଙ୍ଗଳ ଆଳତୀ ଓ ଅବକାଶ, ସାଢେ ୬ଟାରୁ ସାଢେ ୯ଟା ସାହାଣ ମେଲା ଦର୍ଶନ, ସାଢେ୮ଟା ମଧ୍ୟରେ ରୋଷ ହୋମ ଓ ପାକ କାର୍ଯ୍ୟ,, ଛାମୁ ପରିଷ୍କାର ସାଢ଼େ ୯ଟାରୁ ୧୦ଟା, ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ପୂଜା ସକାଳ ୧୦ଟାରୁ ସାଢେ ୧୦ଟା, ଶ୍ରୀଜିଉଙ୍କ ବଲ୍ଲଭ, ଶ୍ରୀଭୁବନେଶ୍ୱରୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ସକାଳ ସାଢେ୧୦ରୁ ସାଢେ୧୧ଟା, ଭୋଗ ମଣ୍ଡପ ସାଢେ୧୧ରୁ ସାଢେ୧୨ଟା, ଅଧର ପଣା ପୂଜା ସାଢେ ୧୨ରୁ ସାଢେ୧ଟା ମଧ୍ୟରେ ହେବ । ପହଣ୍ଡି ଦିନ ସାଢେ ୧ଟାରୁ ଅପରାହ୍ଣ ୩ଟା ଏବଂ ଅପରାହ୍ଣ ଠିକ ସାଢେ୩ଟାରେ ରଥଟଣା ଆରମ୍ଭ ହେବ । ବାହୁଡ଼ାରେ ମଧ୍ୟ ସୁରକ୍ଷା ନିମନ୍ତେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବ ।