SUNSTARTV
ଭୁବନେଶ୍ବର:ପୂର୍ବରୁ ପଶ୍ଚିମ ଓଡ଼ିଶା ହେଉ ଅଥବା ଉତ୍ତରରୁ ଦକ୍ଷିଣ ଓଡ଼ିଶା, ସବୁଠି ହେକ୍ଟର ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହେଉଛି। ବନ ବିଭାଗ ନିଆଁ ଲିଭାଉଥିବା କହୁଥିଲେ ମଧ୍ୟ ନିଆଁ ଏବେ ଓଡ଼ିଶାର ଅଧା ଜଙ୍ଗଲ ଗ୍ରାସ କରିଗଲାଣି। ପାଞ୍ଚ ଦିନ ହେଲା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଙ୍ଗଲରେ ନିଆଁ ଲିଭୁନି। କଳହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟ ହୁତୁହୁତୁ ହୋଇ ଜଳୁଛି। ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଜଙ୍ଗଲରେ ନିଆଁ ବ୍ୟାପିଲାଣି। କୋରାପୁଟର ନାରାୟଣପାଟଣାରୁ ଆରମ୍ଭ କରି ରାୟଗଡ଼ାର ମୁନିଗୁଡ଼ା, ନୟାଗଡ଼ାର ଖଣ୍ଡପଡ଼ା, କନ୍ଧମାଳର ସିମନବାଡ଼ି, ଗଜପତିର ରାମଗିରି, ଯାଜପୁରର ବାହ୍ମଣୀପାଳ ଯାଏ ଜଙ୍ଗଲରେ ଏବେ ନିଆଁର କୋପ ଦେଖିବାକୁ ମିଳୁଛି।
ଦିନକୁ ଦିନ ଏହା ଆହୁରି ଭୟଙ୍କର ହେଉଥିବା ଦେଖିବାକୁ ମିଳୁଛି। ବୁଧବାର ଅପରାହ୍ଣ ସାଢ଼େ ଗୋଟାଏରେ ଓଡ଼ିଶାର ୪୩୮ଟି ସ୍ଥାନରେ ନିଆଁ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ତାହା ୮୫୩ରେ ପହଞ୍ଚିଥିଲା। ଶୁକ୍ରବାର ତାହା ଆହୁରି ବୃଦ୍ଧି ପାଇ ୧୧୮୧ରେ ପହଞ୍ଚିଛି। ୪୮ ଘଣ୍ଟା ମଧ୍ୟରେ ନିଆଁର ପ୍ରକୋପ ହଠାତ୍ ବୃଦ୍ଧି ବୃକ୍ଷଲତା ସମେତ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ଓଡ଼ିଶାର ଜଙ୍ଗଲ ନିଆଁ ସାରା ଦେଶରେ ଶୀର୍ଷ ସ୍ଥାନ ବଜାୟ ରଖିଛି। ଦେଶରେ ୩୧୫ଟି ସ୍ଥାନରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଥିବା ବେଳେ ସେଥିରୁ କେବଳ ଓଡ଼ିଶାରେ ୧୦୭ଟି ରହିଛି। ଏହା ତଳକୁ ଛତିଶଗଡ଼ରେ ୫୮, ଉତ୍ତରାଖଣ୍ଡରେ ୩୭, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶରେ ୨୪ଟି ଲେଖାଏଁ ସ୍ଥାନରେ ବଡ଼ଧରଣର ବନାଗ୍ନି ରହିଥିବା ସମ୍ପର୍କରେ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶାର ସମସ୍ତ ସର୍କଲ ଅଳ୍ପେ ବହୁତେ ପ୍ରଭାବିତ ହେଲାଣି। ଆଜି ଦିନରେ ଚିହ୍ନଟ ହୋଇଥିବା ୧୧୮୧ଟି ବନାଗ୍ନି ମଧ୍ୟରୁ କୋରାପୁଟ, ବ୍ରହ୍ମପୁର, ଭବାନୀପାଟଣା ସର୍କଲରେ ୯୫୦ରୁ ଅଧିକ ସ୍ଥାନରେ ଛୋଟ ଓ ମଧ୍ୟମଧରଣର ନିଆଁ ଲାଗିଛି। ଭବାନୀପାଟଣା ସର୍କଲର ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର ଜିଲ୍ଲା ସମେତ କୋରାପୁଟ ସର୍କଲର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବ୍ରହ୍ମପୁର ସର୍କଲର କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ରାଉରକେଲାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ ସର୍କଲର କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବାରିପଦା ସର୍କଲର ମୟୂରଭଞ୍ଜ, କେନ୍ଦୁଝର, ଭୁବନେଶ୍ବର ସର୍କଲର ନୟାଗଡ଼ ଓ ପୁରୀ ଜିଲ୍ଲାରେ ଜଙ୍ଗଲ ଜଳୁଛି। ଗତ ସାତ ଦିନରେ ଓଡ଼ିଶାରେ ସର୍ବାଧିକ ୩,୯୯୨ଟି ଜଙ୍ଗଲ ନିଆଁ ଚିହ୍ନଟ କରାଯାଇଥିବା ବେଳେ ଛତିଶଗଡ଼ରେ ୨୪୧୩, ଆନ୍ଧ୍ରପ୍ରଦେଶରେ ୨,୦୪୮ଟି ସ୍ଥାନରେ ନିଆଁ ଲାଗିଛି।
ଚଳିତ ସିଜିନ୍(ନଭେମ୍ବର ୧ରୁ ଆଜି ସୁଦ୍ଧା)ରେ ଓଡ଼ିଶାରେ ୧୨ହଜାର ୧୮୯ଟି ଜଙ୍ଗଲ ନିଆଁ ଚିହ୍ନଟ ହୋଇଛି। ଯେତେବେଳେ କି ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୬,୧୭୧ଟି ନିଆଁ ଲାଗିଥିବା ରିପୋର୍ଟ ହୋଇଛି। କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମା, ଲକ୍ଷ୍ମୀପୁର, ଲମଟାପୁଟ, ସିମିଳିଗୁଡ଼ା, ନାରାୟଣପାଟଣା, କଳାହାଣ୍ଡି ଜିଲ୍ଲାର ଜୟପାଟଣା, ଥୁଆମୂଳ ରାମପୁର ଉତ୍ତର, କର୍ଲାପାଟ, ମଦନପୁର ରାମପୁର, ରାୟଗଡ଼ା ଜିଲ୍ଲାର କାଶୀପୁର, ଟିକିରି, କେ. ସିଂହପୁର, ଗୁଡ଼ାରି, ବିଶ୍ବନାଥପୁର, ମୁନିଗୁଡ଼ା, କନ୍ଧମାଳର ବେଲଘର, ତୁମୁଡ଼ିବନ୍ଧ, ବାଲିଗୁଡ଼ା, ସିମନ୍ବାଡ଼ି, କୋଟାଗଡ଼, ବ୍ରାହ୍ମଣୀଗାଁ, ନବରଙ୍ଗପୁରର ଉମରକୋଟ, ନୂଆପଡ଼ାର ସିନାପାଲି, ଗଜପତିର ଆର ଉଦୟଗିରି, ମୋହନା, ଗଞ୍ଜାମର ଆସ୍କା, ଦେବଗଡ଼ର ଖମାର ପ୍ରଭୃତି ଅଞ୍ଚଳର ଜଙ୍ଗଲ ପ୍ରଭାବିତ ହୋଇଛି।