Sunstar TV
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ରାମ ନବମୀ। ହିନ୍ଦୁ ମାନଙ୍କର ଏକ ମହାନ ପର୍ବ। ପ୍ରତି ବର୍ଷ ଠାରୁ ଏ ବର୍ଷର ରାମ ନବମୀ ଭିନ୍ନ । କାରଣ ଏ ବର୍ଷ ଅଯୋଧ୍ୟାରେ ପ୍ରତିଷ୍ଠା ହୋଇଛନ୍ତି ପ୍ରଭୁ ରାମ ଲାଲା। ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ର ଶୁକ୍ଳ ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ। ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ଶ୍ରୀରାମଙ୍କର ଜନ୍ମ ହୋଇଥିଲା। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗର କଥା ଅଯୋଧ୍ୟାର ରାଜା ଥିଲେ ଦଶରଥ । ବହୁ ବର୍ଷ ଧରି ନିଃସନ୍ତାନ ଥିଲେ ରାଜା , ପ୍ରଭୂକୃପା ହେତୁ ଯଜ୍ଞ ଚରୁ ଖାଇ ତିନି ରାଣୀ ତାଙ୍କର ଗର୍ଭବତୀ ହୁଅନ୍ତି। ପବିତ୍ର ଚୈତ୍ର ନବମୀ ଦିନ ଦ୍ୱିପ୍ରହରରେ ରାଣୀ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଠରେ ଅବତରଣ କରିଥିଲେ । ସମୟର କାଳ ଚକ୍ରରେ ,ପିତୃସତ୍ୟ ପାଳନ କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ଦେବୀସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଚଉଦବର୍ଷ ବନବାସ ଯାଇଥିଲେ। ଦଣ୍ଡକାରଣ୍ୟରେ ଅବସ୍ଥାନ କାଳରେ ଶ୍ରୀରାମ ଓ ଅନୁଜ ଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ଦୁରାଚାରୀ ରାବଣ ମାତା ସୀତାଙ୍କୁ ଏକାକିନୀ ଦେଖି ଅପହରଣ କରିନେଲା । ଏହାପରେ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ଅଯୋଦ୍ଧା ରାଜସିଂହାସନରେ ବସି ସୁଶାସନ କରିଥିଲେ । ଶ୍ରୀରାମ ତାଙ୍କ ଅବତାରରେ ସଂପୂର୍ଣ୍ଣ ମାନବ ଜୀବନଯାପନ କରିଥିଲେ । ଧର୍ମ ପ୍ରତିଷ୍ଠା କରିବା ପାଇଁ ଭଗବାନ ଶ୍ରୀରାମ ତାଙ୍କ ଜୀବନସାରା ବହୁ କଷ୍ଟ ସହିଥିଲେ ଏବଂ ନିଜକୁ ଜଣେ ଆଦର୍ଶ ପୁରୁଷ ଭାବେ ପ୍ରତିଷ୍ଠିତ କରିଥିଲେ। ସବୁଠାରୁ କଠିନ ପରିସ୍ଥିତିରେ, ଶ୍ରୀରାମ ରାଜଧର୍ମ ତ୍ୟାଗ କରି ନ ଥିଲେ । ଏହି ସମସ୍ତ ଗୁଣ ହେତୁ ସେ ଶ୍ରେଷ୍ଠ ଏବଂ ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଗଲା। ରାମନବମୀ ଉପଲକ୍ଷେ ନଅଦିନ ବ୍ୟାପୀ ଭଜନ କୀର୍ତ୍ତନ, ଅଖଣ୍ଡ ପାଠ ଚାଲିଥାଏ। ବିଶେଷ ଭାବରେ ରାମଚରିତ ମାନସ ପାଠ କରାଯାଏ। ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍ଧାମ୍ ଜାକଜମକରେ ପାଳିତ ହୋଇଥାଏ ରାମନବମୀ। ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ। ରାମ ନବମୀଠାରୁ ପୁରୀର ପାରମ୍ପରିକ ସାହିଯାତ ଆରମ୍ଭ ହୋଇଥାଏ। ଏହି ଯାତରେ ରାମଙ୍କ ଜନ୍ମଠାରୁ ରାମାଭିଷେକ ପର୍ଯ୍ୟନ୍ତ ବିଭିନ୍ନ ଲୀଳାକୁ ପାରମ୍ପରିକ ଢଙ୍ଗରେ ପରିବେଷଣ କରାଯାଏ। କଳାକାରମାନେ ବିଭିନ୍ନ ସାହି ବୁଲିଥାନ୍ତି। ସେହିପରି ରାମନବମୀ ଦିନ ବ୍ରତଧାରୀମାନେ ଉପବାସ କରନ୍ତି। ସୂର୍ଯ୍ୟାସ୍ତ ପରେ ବ୍ରତ ସମାପନ କରିଥାଆନ୍ତି। ଏହି ଦିନ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ପଞ୍ଚାମୃତ, ଶ୍ରୀଖଣ୍ଡ, ଖିରି ଓ ହାଲୁଆ ଭୋଗ ଅର୍ପଣ କରାଯାଇଥାଏ। ଆଜି ପବିତ୍ର ରାମ ନବମୀ ଅବସରରେ ସନ୍ ଷ୍ଟାର ଟିଭି ତରଫରୁ ଅନେକ ଅନେକ ଅଭିନନ୍ଦନ।